ୟୁରୋ କପ୍‌ ଫୁଟବଲ: ବେଲଜିୟମ ଓ ଇଂଲଣ୍ଡର ପ୍ରଥମ ବିଜୟ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଚଳିତ ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚରେ ବେଲଜିୟମ୍‌ ଓ ଇଂଲଣ୍ଡ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି । ଉଭୟ ଦଳ ରବିବାର ସେମାନଙ୍କ ପ୍ରଥମ ମ୍ୟାଚ ଖେଳିଥିଲେ । ଗୋଟିଏ ପଟେ ଗ୍ରୁପ୍‌-ବି’ରେ ସାମିଲ୍‌ ଥିବା ବେଲଜିୟମ୍‌ ପ୍ରତିପକ୍ଷ ରୁଷିଆକୁ ୩-୦ରେ ପରାସ୍ତ କରିଥିବା ବେଳେ ଗ୍ରୁପ୍‌-ଡି’ରେ ଇଂଲଣ୍ଡ ପ୍ରତିଦ୍ୱନ୍ଦ୍ୱୀ କ୍ରୋଏସିଆକୁ ୧-୦ରେ ପରାସ୍ତ କରି ପଏଣ୍ଟ୍‌ ଟେବଲରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ପକ୍ଷରୁ ରହିମ୍‌ ଷ୍ଟର୍ଲିଂ ଏହି ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କର ପ୍ରଥମ ଗୋଲ୍‌ ଦେବା ସହ ଶେଷରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । କିନ୍ତୁ ପ୍ରଥମାର୍ଦ୍ଧ ଖେଳରେ କୌଣସି ଗୋଲ୍‌ ହୋଇପାରି ନଥିଲା । ତେବେ ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାର ମାତ୍ର କେଇ ମିନିଟ ଭିତରେ ଫିଲିପ୍‌ସଙ୍କ ଏକ ପାସ୍‌କୁ ସଂଗ୍ରହ କରି ଷ୍ଟର୍ଲିଂ ଚମତ୍କାର ଢଙ୍ଗରେ କ୍ରୋଏସିଆ ଗୋଲ୍‌ପୋଷ୍ଟ୍‌ ଭିତରେ ପ୍ରବେଶ କରାଇବାରେ ସକ୍ଷମ ହୋଇଥିଲେ । ଷ୍ଟର୍ଲିଂଙ୍କ ଜୋରଦାର ଶଟକୁ ଲିଭାକୋଭିକ ରୋକିବାକୁ ଉଦ୍ୟମ କରିଥିଲେ ହେଁ ବଲଟି ତାଙ୍କ ହାତରେ ବାଜି ଗୋଲ୍‌ ପୋଷ୍ଟ୍‌ ଭିତରେ ପ୍ରବେଶ କରିଥିଲା ଓ ଇଂଲଣ୍ଡ ୧-୦ରେ ଆଗୁଆ ରହିଥିଲା ।
ଅନ୍ୟପକ୍ଷରେ ବେଲଜିୟମ୍‌ ରୁଷିଆ ବିପକ୍ଷରେ ବେଶ୍‌ ସହଜ ବିଜୟ ହାସଲ କରିଛି । ଏହି ମ୍ୟାଚରେ ବେଲଜିୟମ୍‌ର ଷ୍ଟ୍ରାଇକର ରୋମେଲୁ ଲୁକାକୁ ଦୁଇଟି ଗୋଲ୍‌ ଦେଇ ଦଳକୁ ପ୍ରଥମ ପଏଣ୍ଟ୍‌ ଦେବାରେ ମୁଖ୍ୟ ଭୂମିକା ଗ୍ରଡଣ କରିଛନ୍ତି । ସେଣ୍ଟ୍‌ ପିଟର୍ସବର୍ଗଠାରେ ଖେଳାଯାଇଥିବା ଗ୍ରୁପ୍‌-ବି’ର ଏହି ମ୍ୟାଚରେ ଦୁଇଟି ଗୋଲ୍‌ ଦେଇ ଲୁକାକୁ ଗତ ୧୯ଟି ମ୍ୟାଚରେ ତାଙ୍କର ଗୋଲ୍‌ ସଂଖ୍ୟାକୁ ୨୨ରେ ପହଞ୍ଚାଇଛନ୍ତି । ଏହି ବିଜୟ ସହ ବେଲଜିୟମ୍‌ ଫିନଲାଣ୍ଡ୍‌କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛି । ଫିନଲାଣ୍ଡ ତା’ର ପ୍ରଥମ ମ୍ୟାଚରେ ଡେନମାର୍କକୁ କୋପେନହାଗେନଠାରେ ୧-୦ରେ ପରାସ୍ତ କରିଥିଲେ ହେଁ ଏହା ଦ୍ୱିତୀୟ ସ୍ଥାନକୁ ଖସିଆସିଛି । ଲୁକାକୁ ଦଶମ ମିନିଟ୍‌କୁ ବେଲଜିୟମକୁ ଆଗୁଆ କରାଇଥିବା ବେଳେ ୩୪ତମ ମିନିଟରେ ଥୋମାସ ମିଉନିର ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ ।

Leave a comment