ସାବଧାନ: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବରୋଧରେ ଦେଉଥିଲେ ବିବାଦୀୟ ମନ୍ତବ୍ୟ, ସାଲେପୁରରୁ ଯୁବକ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ୍ ମିଡ଼ିଆରେ ଧର୍ମ ଓ ବିଶ୍ୱହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକଙ୍କୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ସାଲେପୁର ପୁଲିସ ସହାୟତାରେ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ସାଲେପୁର ବ୍ଲକ୍ କୁସମ୍ବୀ ଗ୍ରାମର ରସିଦ୍ ଅହେମ୍ମଦଙ୍କ ପୁଅ ସୟଦ ହସନ ଅହେମ୍ମଦ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ସଂଗଠନ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳ, ଗୋରକ୍ଷକ ସଂଗଠନ ବରୋଧରେ ବିବାଦୀୟ ମନ୍ତବ୍ୟ ଲେଖି ସୋସିଆଲ ମିଡ଼ିଆରେ ଭାଇରାଲ୍ କରୁଥିବା ନେଇ ଉତ୍ତରପ୍ରଦେଶ ବାଗପଥ ଜିଲ୍ଲାର ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ କୁଲଦିପ ପାଞ୍ଚାଲ ସିଙ୍ଗାବଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ସିଙ୍ଗାବଲି ପୁଲିସ ଅଭିଯୋଗକୁ ଗ୍ରହଣ କରି ସୟଦ ହସନ ଅହେମ୍ମଦଙ୍କ ମୋବାଇଲ୍ ଟ୍ରାକିଂ କରିବା ସହ ଉତ୍ତରପ୍ରଦେଶରୁ ଏକ ଦୁଇଜଣିଆ ପୁଲିସ ଟିମ ସାଲେପୁର ଥାନାରେ ପହଞ୍ଚି ସାଲେପୁର ପୁଲିସ ସହାୟତାରେ ତାକୁ ଗିରଫ କରିଥିବା ଜଣାଯାଇଛି। ଆସନ୍ତାକାଲି ହସନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ହସନଙ୍କ ବିରୋଧରେ ସିଙ୍ଗାବଲି ଥାନାରେ ମାମଲା ରୁଜୁ କରି କରାଯାଇଛି। ଆସନ୍ତାକାଲି ସାଲେପୁର କୋର୍ଟରେ ତାକୁ ହାଜର କରାଇବାପରେ ରିମାଣ୍ଡରେ ଉତ୍ତର ପ୍ରଦେଶ ନେବ ବୋଲି ଉତ୍ତରପ୍ରଦେଶ ପୁଲିସ ଏସଆଇ ସୁରଜମଲ ସିଂ ପ୍ରକାଶ କରିଛନ୍ତି।