ଭାରତ ସହ ଦୁବାଇରେ ମଧ୍ୟ ପାଲିତ ହେଲା ଯୋଗ ଦିବସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ସମେତ ଏକାଧିକ ଦେଶରେ ଆଜି ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମହାମାରୀ କରୋନା ସମୟରେ ଯୋଗ କେମିତି ସୁସ୍ଥ ରହିବାକୁ ଅସ୍ତ୍ର ସାଜିଛି, ସେ ବିଷୟରେ ମୋଦି ଦେଶବାସୀଙ୍କୁ ବୁଝାଇଛନ୍ତି। ଏଥିସହ ଯୋଗକୁ ବିଶ୍ୱର ସବୁ କୋଣରେ ପହଞ୍ଚଇବାକୁ ସମସ୍ତେ ଚେଷ୍ଟା କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି।
ଆଧୁନିକ ଯୁଗର ଟେକ୍ନୋଲଜି ଓ ପ୍ରାଚୀନ ପରମ୍ପରାର ମିଶ୍ରଣ ସମସ୍ତଙ୍କୁ ଲାଭ ଦେବ। ଯୋଗ ସବୁବେଳେ ତା’ର ସକାରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପକାଇ ଚାଲିଛି। ଯୋଗ ଆମକୁ ନେଗେଟିଭିଟିରୁ କ୍ରେଏଟିଭିଟି କରିଛି। ଆମ ମାନଙ୍କର ଇଚ୍ଛାଶକ୍ତି ସବୁ ପ୍ରକାରର ନକାରାତ୍ମକ ପ୍ରଭାବରୁ ଆମକୁ ମୁକ୍ତି ଦେଇଥାଏ। ପ୍ରାଣାୟମ ଓ ଅନ୍ୟ ଯୋଗ ବ୍ୟାୟାମ ଦ୍ୱାରା ଆମ ମଧ୍ୟରେ ଥିବା ଭଲ ଗୁଣକୁ ଆମେ ଚିହ୍ନଟ କରିପାରିଥାଉ ।
ଆଜି ଯେତେବେଳେ ସାରା ବିଶ୍ୱ ମହାମାରୀ ସହ ଲଢ଼େଇ କରୁଛି ସେତେବେଳେ ଯୋଗ ସମସ୍ତଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି। ‘ସୁସ୍ଥତା ପାଇଁ ଯୋଗ’ ଥିମ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାୟମ କରିବାକୁ ଉତ୍ସାହିତ କରିଛି ।
ଶ୍ୱାସକ୍ରିୟାକୁ ସଚଳ କରିବାରେ ଯୋଗ ବେଶ ଫାଇଦା ଦେଇଥାଏ। ଏହା କରୋନା ବିରୋଧରେ ଲଢ଼େଇ କରିବାକୁ ସହାୟକ ହୋଇଥାଏ। କୋଭିଡି ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ସୁସ୍ଥ ହେବାରେ ଯୋଗର ଭୂମିକାକୁ ଭଲ ଭାବେ ବୁଝିଛନ୍ତି । ସେମାନେ ଲୋକଙ୍କୁ ଯୋଗ କରିବାକୁ ବୁଝାଉଛନ୍ତି। ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ମଧ୍ୟ ଯୋଗର ଉପକାରିତାକୁ ସ୍ୱୀକାର କାରିଛନ୍ତି। କରୋନା ମହାମାରୀ ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱକୁ ଫିକା କରିପାରି ନାହିଁ।
ଆଜି ଭାରତ ସମେତ ପ୍ରାୟ ୧୭୦ରୁ ଅଧିକ ଦେଶରେ ଯୋଗ ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ଠାରୁ ଆରମ୍ଭ କରି ଦୁବାଇରେ ଥିବା ଓଡ଼ିଆମାନେ ମଧ୍ୟ ଲୋକମାନେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରିଛନ୍ତି ।