ବାତ୍ୟା ପେଥାଇ କୁ ନେଇ ଓଡ଼ିଶା ର ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗର ଉପରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହି ଅବପାତ ଚେନ୍ନାଇଠାରୁ ୭୩୦ କିଲୋମିଟର ଦୂରରେ ଏବଂ ମଛଲିପଟ୍ଟନମଠାରୁ ୯୩୦ କି.ମି. ଦୂରରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବା ସହ ୧୭ ତାରିଖ ଅପରାହ୍ନରେ ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଓ କାକ୍କିନଡା ମଧ୍ୟରେ ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା) ଜାରି କରାଯାଇଛି । ୧୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।