ମଧୁବାବୁ ପେନସନ୍ ଓ କଳାକାର ସହାୟତା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ହିତାଧୀକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା । ଆସନ୍ତା ୧୫ ତାରିଖରୁ ଏହି ନୂଆ ହିତାଧିକାରୀମାନେ ପେନସନ୍ ଯୋଜନାରେ ଉପକୃତ ହେବେ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୪୮ ଲକ୍ଷ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି । ରାଜ୍ୟରେ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନହୁଅନ୍ତି, ମୁଖ୍ୟମନ୍ତ୍ରୀ ସେ ନେଇ ଗୁରୁତ୍ୱ ଦେଇଛନ୍ତି ।

ସେହିପରି କଳାକାର ସହାୟତା ଯୋଜନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନୂଆ ନିୟମ ଲାଗୁ କରିଛନ୍ତି । ଏହି ଯୋଜନା ଆଧାରରେ ରାଜ୍ୟର ୪୦ ହଜାର କଳାକାରଙ୍କୁ ଡିସେମ୍ବର ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ । ଏ ନେଇ ବୁଧବାର ସଚିବାଳୟଠାରେ ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ । 

Leave a comment