କପଡ଼ା ଇଣ୍ଡଷ୍ଟ୍ରିରେ ଅଘଟଣ, ପାଟିରେ ଏୟାର ପାଇପ୍‌ ପୂରାଇ ଶ୍ରମିକ ଗୁରୁତର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଖେଳ ହେଲା କାଳ। ପାଟିରେ ଏୟାର ପାଇପ୍‌ ପୂରାଇ ପବନ ଯନ୍ତ୍ର ଚାଳନା ପରେ ଜଣେ ଶ୍ରମିକଙ୍କ ପେଟ ଫାଟି ଯାଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଏକ କପଡ଼ା ଇଣ୍ଡଷ୍ଟ୍ରିରେ ଘଟିଛି । ଗୁରୁତର ଶ୍ରମିକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଛୋଟି ଗ୍ରାମର ଦିଗମ୍ବର ଦାସଙ୍କ ପୁଅ ଶତ୍ରୁଘ୍ନ (୨୬) । ଶତ୍ରୁଘ୍ନ ସେହି କପଡ଼ା ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିଲେ । ରବିବାର ସନ୍ଧ୍ୟାରେ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମୟରେ ସାଙ୍ଗମାନଙ୍କ ସହିତ ଥଟ୍ଟା ମଜା ଚାଲିଥିବା ବେଳେ ଶତ୍ରୁଘ୍ନ ଏୟାର ପାଇପ୍‌କୁ ପାଟିରେ ପୂରାଇ ଦେଇ ନିଜେ ଏୟାର ମେଶିନ ଚାଲୁ କରି ଦେଇଥିଲେ । ପବନର ବେଗ ଏତେ ଥିଲା ଯେ, ଘଟଣାସ୍ଥଳରେ ହିଁ ତାଙ୍କ ପେଟ ଫାଟିଯିବା ସହ ରକ୍ତବାନ୍ତି ହୋଇଥିଲା । ସାଙ୍ଗମାନେ ତାଙ୍କୁ ନିକଟସ୍ଥ କୋହ୍ଲାପୁର ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୫ଟି ଅପରେଶନ ପରେ ତାଙ୍କ ଶରୀରରୁ ପବନ ବାହାରି ଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଇଣ୍ଡଷ୍ଟ୍ରି ପରିଚାଳକ ଶତ୍ରୁଘ୍ନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ସମସ୍ତ ଦାୟିତ୍ୱ ନେଉଥିବା ପରିବାର ସଦସ୍ୟ ସୂଚନା ଦେଇଛନ୍ତି ।

Leave a comment