୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ, ଅଧିକ ଗଛ କାଟିଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିଏଫ୍‌ଙ୍କୁ ପତ୍ର ଲେଖିଲେ ସଚିବ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଆବଶ୍ୟକତା ନ ଥାଇ ଶତାଧିକ ପୁରୁଣା ଗଛ କାଟି ଦିଆଯାଉଛି । ଏପରି ସଙ୍ଗିନ ଅଭିଯୋଗ ଆସିବା ପରେ ଜଙ୍ଗଲ ଏବଂ ପରିବେଶ ବିଭାଗ ସ୍ବତନ୍ତ୍ର ସଚିବ ଏ ନେଇ ପିସିସିଏଫ୍‌ଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଆବଶ୍ୟକତାଠାରୁ ଅଧିକ ଗଛ କଟାଯାଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଢେଙ୍କାନାଳ ସମେତ ଅନୁଗୋଳ ଆର୍‌ସିସିଏଫ୍‌, କଟକ, ଆଠଗଡ଼, ଆଠମଲ୍ଲିକ, ରେଢ଼ାଖୋଲ, ଅନୁଗୋଳ ଏବଂ ସମ୍ବଲପୁର ବନ ବିଭାଗକୁ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର  ଜିଲ୍ଲାରେ ୫୫ନଂ. ଜାତୀୟ ରାଜପଥକୁ ୪ ଲେନ୍‌ ବିଶିଷ୍ଟ କରାଯାଉଛି । ୨୦୧୮ରୁ ଆରମ୍ଭ ହୋଇଥିବା ଏହି ଉନ୍ନତୀକରଣ କାର୍ଯ୍ୟ ୨୦୨୦ ସୁଦ୍ଧା ଶେଷ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଲକ୍ଷ୍ୟ ରଖାଯାଇଛି । ରାସ୍ତା ସମ୍ପ୍ରସାରଣ ଲାଗି ଗଛ କାଟିବାକୁ ଅନୁମତି ଦିଆଯାଇଛି । ହେଲେ ସମ୍ପ୍ରସାରଣ ଲାଗି ଅଧିକୃତ ଜମି ବ୍ୟତୀତ ଅନ୍ୟ ଜମିରେ ଥିବା ପୁରୁଣା ବର, ଅଶ୍ୱତ୍‌ଥ, ଆମ୍ବ, ନିମ୍ବ, ଚାକୁଣ୍ଡା ଗଛ କାଟି ଦିଆଯାଉଛି । ଏ ନେଇ ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ସେଠାକାର ବିଧାୟକ ସରୋଜ କୁମାର ସାମଲ ଏବଂ ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ୱାଳ ପିସିସିଏଫ୍‌ଙ୍କୁ ପତ୍ର ଲେଖିଛନ୍ତି । ଅଭିଯୋଗର ବିଧିବଦ୍ଧ ତଦନ୍ତ କରି  ରିପୋର୍ଟ ପ୍ରଦାନ କରିବା ସହ ଆବଶ୍ୟକତାଠାରୁ ଅଧିକ ଗଛ ନ କାଟିବା ଦିଗରେ ଯତ୍ନବାନ ହେବାକୁ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ।

Leave a comment

You cannot copy content of this page