ହାତୀମୃତ୍ୟୁ ଏଡ଼ାଇବାକୁ ରେଳଧାରଣା କଡ଼ରେ ଲାଗିବ ମହୁମାଛି ଶବ୍ଦ ମେଶିନ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜ୍ୟରେ ଅଧିକାଂଶ ସମୟରେ ରେଳ ଦୁର୍ଘଟଣା ଯୋଗୁଁ ବହୁ ହାତୀଙ୍କର ମୃତ୍ୟୁ ଘଟୁଛି। ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାର ରେଳଧାରଣା କଡରେ ମହୁମାଛି ଶବ୍ଦ ସୃଷ୍ଟି କରୁଥିବା ମେଶିନ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ହାତୀ ଚଳ ପ୍ରଚଳ ହେଉଥିବା ରେଳ ଧାରଣା ପାର୍ଶ୍ବରେ ଏହି ମେଶିନ ଲାଗିବ ।
ରେଳ ବିଭାଗ, ଶକ୍ତି ଓ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନୂତନ ବ୍ୟବସ୍ଥା ପାଇଲଟ ପ୍ରକଳ୍ପ ଭାବେ ଢେଙ୍କାନାଳ ଜିଲ୍ଲାର ସଦାଶିବପୁରଠାରେ ଆରମ୍ଭ କରାଯିବ ବୋଲି ମୁଖ୍ୟ ବନ୍ୟ ସଂରକ୍ଷକ ସୁଦର୍ଶନ ପଣ୍ଡା କହିଛନ୍ତି । ଏହି ବ୍ୟବସ୍ଥା ସଫଳ ହେଲେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ମେଶିନ ସ୍ଥାପନ କରାଯିବ । ହାତୀ ମହୁମାଛିଙ୍କୁ ଭୟ କରିଥାଆନ୍ତି । ମହୁମାଛି ଶବ୍ଦ ଶୁଣିଲେ ହାତୀ ରେଳଧାରଣା କଡକୁ ଆସିବେ ନାହିଁ । ଏହା ରେଳ ଦୁର୍ଘଟଣା ଭଳି ଘଟଣାକୁ ଏଡାଇ ପାରିବ ବୋଲି ସେ କହିଛନ୍ତି ।
ହାତୀ ଚଳ ପ୍ରଚଳ କରୁଥିବା ରେଳଧାରଣା କଡ ସ୍ଥାନ ଚିହ୍ନଟ କରିବାକୁ ଝାରସୁଗୁଡା, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ହାତୀଙ୍କର ଗତିବିଧିକୁ ଠାବ କରିବା ପାଇଁ ଏକ ମୋବାଇଲ ଆପ୍ ସୃଷ୍ଟି କରାଯିବ । ଏହି ଆପ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିବ ।