ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ
ଓଡିଶା ଫାଷ୍ଟ (ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଯାଜପୁର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଚିନ୍ମୟ କୁମାର ବେହୁରା । ତାଙ୍କ ସମ୍ପତ୍ତିର ମୂଲ୍ୟ ୧କୋଟି ୨ଲକ୍ଷ ୮୦ହଜାର ୧୪୫ ଟଙ୍କା । ଚିନ୍ମୟ ଏବେ ଡେପୁଟେଶନରେ ଟିସ୍କୋ କାଳିଆପାଣିଠାରେ କାର୍ଯ୍ୟରତ । ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଘର, ଅଫିସ ସମେତ ମୋଟ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଯାଞ୍ଚ ସ୍ଥାନଗୁଡ଼ିକ ମଧ୍ୟରେ ଯାଜପୁର ଧବଳଗିରି ନିକଟରେ ଥିବା ମାଇନିଂ କଲୋନୀସ୍ଥିତ ଆବାସିକ ସରକାରୀ କ୍ବାର୍ଟର, ଟିସ୍କୋ କଲୋନୀ ପରିସରରେ ଥିବା ସରକାରୀ କ୍ବାର୍ଟର, ଯାଜପୁର ଜିଲ୍ଲା ସୁକିନ୍ଦାଗଡ଼ ପାଇକସାହି ଗ୍ରାମରେ ଥିବା ଘର, ଯାଜପୁର ରୋଡ୍ ର କୁସୁନପୁର ସ୍ଥିତ ସାଇ ରେସିଡେନ୍ସି ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟ ଛରାଡ଼ିଆ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର ଓ ଟିସ୍କୋ ଅଫିସ ଆଦି ରହିଛି । ତେବେ ଯାଞ୍ଚରୁ ଠାବ ସମ୍ପତ୍ତିଗୁଡ଼ିକ ମଧ୍ୟରେ ଫ୍ଲାଟ୍ ର ମୂଲ୍ୟକୁ ୨୪ ଲକ୍ଷ ୯୨ହଜାର ଟଙ୍କା, ସୁକିନ୍ଦାଗଡ଼ ନିକଟରେ ଥିବା ଦୁଇ ମହଲା କୋଠାକୁ ୩୬ ଲକ୍ଷ ୮୫ହଜାର ଟଙ୍କା ଓ ସୁକିନ୍ଦା ନିକଟରେ ଥିବା ଦୁଇଟି ପ୍ଲଟ ମୂଲ୍ୟକୁ ୫୭ ହଜାର ଟଙ୍କାରେ ଆକଳନ କରିଛି ଭିଜିଲାନ୍ସ । ସେହିପରି ବେହୁରାଙ୍କର ୫ ଲକ୍ଷ ୫୬ହଜାର ୭୨୯ ଟଙ୍କାର ଗୋଟିଏ କାର୍ ଥିବାବେଳେ ୧ ଲକ୍ଷ ୨୯ହଜାର ୬୫୪ ଟଙ୍କାର ଦୁଇଟି ମୋଟର ସାଇକେଲ ଓ ୫୪ହଜାର ୬୩୫ ଟଙ୍କା ମୂଲ୍ୟର ଗୋଟିଏ ସ୍କୁଟି ଥିବା ଭିଜିଲାନ୍ସ ସୂଚନା ଦେଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀରେ ତାଙ୍କର ୧୩ ଲକ୍ଷ ୧୧ହଜାର ୮୪୭ ଟଙ୍କା ଜମା ଥିବାବେଳେ ଘରୁ ୧୩ ଲକ୍ଷ ୮୨ହଜାର ୨୮୦ ଟଙ୍କା ମୂଲ୍ୟର ସୁନାଗହଣା, ୫ଲକ୍ଷ ୪୦ହଜାର ଟଙ୍କା ମୂଲ୍ୟର ଆସବାବପତ୍ର ଓ ଘରୁ ନଗଦ ୭୧ ହଜାର ଟଙ୍କା ଭିଜିଲାନ୍ସ ଠାବ କରିଛି ।