ଭୁବନେଶ୍ୱର ବିମାନବନ୍ଦରରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଇ-ଭିଜା
ଓଡିଶା ଫାଷ୍ଟ (ବ୍ୟୁରୋ): ପୁରୁଷ ହକି ବିଶ୍ୱକପ ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇ-ଭିଜା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ପୁନର୍ବାର ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇ-ଭିଜା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହାକୁ ବିଚାର କରି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା କାର୍ଯ୍ୟକାରୀ କରିବାକୁ ଆଗ୍ରହ ଦେଖାଇଛି । ଏ ନେଇ ମନ୍ତ୍ରଣାଳୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ରାଜୀବ ନୟନ ଚୌବେ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । ଏହା ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି । ମନ୍ତ୍ରଣାଳୟ ଖୁବଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦରରେ ଇ-ଭିଜା କାର୍ଯ୍ୟକାରୀ କରିବ ବୋଲି ଚୌବେ ଆଶାବାଦୀ ଥିବା କଥା କହିଛନ୍ତି । ଇ-ଭିଜା ନେଇ ରାଜ୍ୟ ସରକାର ଆଶାବାଦୀ ଥିବା ଅର୍ଥ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଛନ୍ତି ।