ଡ୍ରୋନ୍ର ରେଜିଷ୍ଟ୍ରେଶନ୍ ବାଧ୍ୟତାମୂଳକ: କେନ୍ଦ୍ର ସରକାର
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆକାଶରେ ଉଡାଣ କରୁଥିବା ଡ୍ରୋନ୍ ବିଭିନ୍ନ ସମୟରେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଏହି ମାନବ ରହିତ କ୍ଷୁଦ୍ର ବିମାନ ଅନେକ ସ୍ଥାନରେ ଲୋକଙ୍କ ଗୋପନୀୟତା କ୍ଷୁର୍ଣ୍ଣକରି ବିବାଦର କାରଣ ମଧ୍ୟ ସାଜୁଛି । ଏଥିପାଇଁ କେନ୍ଦ୍ର ସରକାର ଡ୍ରୋନ୍ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି । ରାସ୍ତାରେ ଗଡ଼ୁଥିବା ଯାନବାହନ ଭଳି ଆକାଶରେ ଉଡାଣ କରୁଥିବା ଡ୍ରୋନ୍ର ମଧ୍ୟ ରେଜିଷ୍ଟ୍ରେଶନ୍ ଜରୁରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ କରାଯାଇଛି ।
ସରକାରଙ୍କ ନୂଆ ନିୟମାନୁସାରେ ଦେଶରେ ଡ୍ରୋନ୍ ୟୁଜର୍ସଙ୍କୁ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଡ୍ରୋନ୍ ଉଡାଣ କରିବାକୁ ହେଲେ ୟୁଜର୍ସଙ୍କୁ ଏକକ ପରିଚୟ ସଂଖ୍ୟା (ୟୁଆଇଏନ୍) ହାସଲ କରିବାକୁ ପଡ଼ିବ । ‘ଡିଜିଟାଲ୍ ସ୍କାଏ’ ନାମକ ଏକ ପୋର୍ଟାଲରେ ଡିସେମ୍ବର ୧ରୁ ଏହି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତି ଡ୍ରୋନ୍ ପାଇଁ ୟୁଜର୍ସଙ୍କୁ ଥରେ (ଓ୍ବାନ୍ ଟାଇମ୍) ପଞ୍ଜୀକରଣ କରିବାକୁ ପଡ଼ିବ । ଏଥିଲାଗି ଉଦ୍ଦିଷ୍ଟ ଆବେଦନ ଫର୍ମରେ ଡ୍ରୋନ୍ର ପାଇଲଟ୍ ଏବଂ ମାଲିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିବ । ଅନ୍ମ୍ୟାନ୍ଡ ଏରିଏଲ୍ ଅପରେଟର୍ସ ପରମିଟ୍ (ୟୁଏଓପି) ଏବଂ ୟୁଆଇଏନ୍ ପାଇଁ ନିର୍ଦ୍ଧାରିତ ଦେୟ ‘ଭାରତ କୋଷ’ ପୋର୍ଟାଲ ଜରିଆରେ ପଇଠ କରିହେବ । ଯେଉଁ ୟୁଜର୍ସମାନେ ୟୁଆଇଏନ୍ ହାସଲ କରିଥିବେ ସେମାନେ ଆସନ୍ତା ଜାନୁୟାରୀ ୧ରୁ ରିମୋଟ୍ଲି ପାଇଲଟେଡ୍ ଏୟାରକ୍ରାଫ୍ଟ ସିଷ୍ଟମ୍ (ଆର୍ପିଏଏସ୍) ଚଳାଚଳ କରିପାରିବେ । ତେବେ ନାନୋ ଡ୍ରୋନ୍ଗୁଡ଼ିକ ଡିସେମ୍ବର ୧ରୁ ଆଇନତଃ ଉଡାଣ କରିପାରିବେ । ଏଭଳି ଡ୍ରୋନ୍ଗୁଡ଼ିକର ଉଡାଣ ପାଇଁ ଅପରେଟର୍ସ ସ୍ଥାନୀୟ ପୋଲିସକୁ ଅବଗତ କରାଇବେ । ଉଡାଣ ଦ୍ୱାରା କୌଣସି ବ୍ୟକ୍ତିଙ୍କ ପ୍ରିଭେସି କ୍ଷୁଣ୍ଣ ହେବ ନାହିଁ ବୋଲି ସେ ଲିଖିତ ଭାବେ ଜଣାଇବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପତ୍ରରେ ଉଲ୍ଲେଖ କରାଯାଇଛି ।