ଲାପଟପ ଚୋରି କରି ଇମେଲ ଯୋଗେ କ୍ଷମା ମାଗିଲେ ଚୋର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଷ୍ଟୁଡେଣ୍ଟଙ୍କର ଲାପ୍ଟପ ଚୋରି କରିବା ପରେ ତାଙ୍କୁ ଇମେଲ ଯୋଗେ ଚୋର ଜଣକ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ସମ୍ପର୍କରେ ସେହି ଷ୍ଟୁଡେଣ୍ଟଙ୍କ ସାଙ୍ଗ ଟୁଇଟ୍ କରିବା ପରେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଜଣେ ଟୁଇଟର ୟୁଜର ଷ୍ଟିଭ୍ ଭାଲେଣ୍ଟାଇନ୍ ତାଙ୍କ ଟୁଇଟର ଆକାଉଣ୍ଟରେ ଏ ସମ୍ପର୍କିତ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ତାଙ୍କ ଫ୍ଲାଟ୍ମେଟଙ୍କ ଲାପ୍ଟପ ଓ ପର୍ସ ଆଜି ଚୋରି ହୋଇଯାଇଥିଲା । ଏହାର କିଛି ସମୟ ପରେ ଚୋର ଜଣକ ତାଙ୍କୁ ଇମେଲ ଯୋଗେ କ୍ଷମା ମାଗିଥିଲେ । ସେ ଇମେଲରେ ଲେଖିଥିଲେ ଯେ, ମୁଁ ବହୁତ ଗରୀବ । ଟଙ୍କା ନଥିବାରୁ ମୁଁ ତୁମ ଲାପ୍ଟପ୍, ପର୍ସ ଚୋରି କରିଛି । ଏହାଦ୍ୱାରା ମୋର କିଛି ଆବଶ୍ୟକତା ପୂରଣ ହୋଇଯିବ । କିନ୍ତୁ ମୋତେ ତୁମ ପାଇଁ ଦୁଃଖ ଲାଗୁଛି । ମୁଁ ଜାଣିଛି ତୁମେ ଜଣେ ୟୁନିଭରସିଟି ଷ୍ଟୁଡେଣ୍ଟ । ଯଦି କେବେ ଆବଶ୍ୟକ ପଡ଼େ ମତେ କହିଲେ ମୁଁ ତୁମ ପ୍ରୋଜେକ୍ଟ ଫାଇଲ୍ସ ସବୁ ପଠାଇଦେବି ବୋଲି ଚୋରଟି ଇମେଲରେ ଲେଖିଥିଲେ ।
ଇମେଲ ପାଇବା ପରେ ଲାପଟପ ଚୋରି କଥା ଭାବି ମନଦୁଖରେ ଥିବା ବନ୍ଧୁ ଜଣକ ତାଙ୍କ ହସ ରୋକି ପାରି ନଥିଲେ ବୋଲି ଷ୍ଟିଭ୍ ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟରେ କେତେଜଣ ସେହି ଚୋରକୁ ଲାପଟପ୍ର ଚାର୍ଜର ଦେଇ ଦେବାକୁ ଲେଖିଥିବା ବେଳେ କେହି କେହି ଚୋରକୁ ଇନୋସେଣ୍ଟ ବୋଲି କହିଛନ୍ତି ।