କଟକ ଦହିବରା ଖାଇବେ କହି ହୃଦୟ ଜିତିଲେ ସଲମାନ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୁଷ ବିଶ୍ୱକପ ହକି ଦ୍ୱିତୀୟ ଉଦଘାଟନୀ ଉତ୍ସବ ଆଜି କଟକର ବାରବାଟୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନିଜ ଧୂଆଁଧାର ପରଫରମାନ୍ସରେ ଷ୍ଟେଜରେ ନିଆଁ ଲଗାଇ ଦେଇଥିଲେ ଓସ୍କାର ବିଜେତା ଏ.ଆର. ରେହମାନ । ରେହମାନଙ୍କ ସଙ୍ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମ ତୁଳନାରେ ପ୍ରୋଗ୍ରାମ ଏତେ ଆକର୍ଷଣୀୟ ହୋଇ ନଥିଲେ ବି କଟକବାସୀ ଏହାକୁ ଖୁବ ଉପଭୋଗ କରିଥିଲେ। ଏହି ଉତ୍ସବରେ ସଲମାନ୍ ଭାଇଜାନ ଯୋଗଦାନ କରିଥିବାରୁ ଲୋକଙ୍କ ମନରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଛି । ଗତକାଲି ଭୁବନେଶ୍ୱର ରେ କିଙ୍ଗ ଖାନ ଙ୍କ ଜଲୱା ଦେଖିବାକୁ ମିଳିଥିବା ବେଳେ ଆଜି ସଲମାନ୍ ଖାନ୍ ଙ୍କ ଉପସ୍ଥିତି ହକି ପ୍ରେମୀଙ୍କ ମନରେ ଉତ୍ସାହ ଭରିଦେଇଛି ।

ସୂଚନା ଅନୁଯାୟୀ, ସଲମାନ୍ ଖାନ୍ ଙ୍କ ଫ୍ୟାନ ଉତ୍କଣ୍ଠାର ସହ ଭୁବନେଶ୍ୱର ବିମାନ ବନ୍ଦରରେ ଅପେକ୍ଷା କରି ରହିଥିଲେ । ଆଜି ସନ୍ଧ୍ୟା ୬.୩୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ୭ ନମ୍ବର ଗେଟ ଦେଇ କଟକ ଅଭିମୁଖେ ବାହାରି ଥିଲେ । ସଲମାନ୍ ଖାନ୍ ଙ୍କ ଟିକେ ଝଲକ ପାଇବା ପାଇଁ ବିମାନ ବନ୍ଦର ଓ ରାସ୍ତା କଡରେ ଶହ ଶହ ଲୋକ ଅପେକ୍ଷା କରି ରହିଥିଲେ । ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇ ମଧ୍ୟ ନିଜ ଫ୍ୟାନ ଙ୍କ ପାଇଁ କିଛି ସମୟ ଗଡି ଅଟକାଇ ନିଜର ଗୋଟେ ଝଲକ ଦେଖିବାର ସୁଯୋଗ ଦେଇଥିଲେ । ପୁରା ସୁରକ୍ଷା ବଳୟ ଭିତରେ ସଲମାନ୍ ସଡକ ପଥ ଦେଇ କଟକର ବାରବାଟୀ ଷ୍ଟାଡିଅମ ଠାରେ ପହଞ୍ଚି ଥିଲେ । ବାରବାଟୀରେ ସଲମାନ ପହଞ୍ଚିବା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିଲା । ନବୀନଙ୍କ ଉପସ୍ଥିତିରେ ଏ.ଆର ରେହମାନ ନିଜ ସଙ୍ଗୀତ ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ରଖିଥିଲେ ।

ବାରବାଟୀରେ ସଲମାନ ପହଞ୍ଚିବା ପରେ ଦର୍ଶକଙ୍କ ଆଗରେ କଟକ ଦହିବରା ଖାଇବା କଥା କହିଛନ୍ତି ।
ଏହା ସହ କଟକ ବାସୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।
ସଲମାନ ବାରବାଟୀରେ ପହଞ୍ଚିବା ପରେ କରତାଳିରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । ଏତେ ସଂଖ୍ୟକ ପ୍ରଂଶସକଙ୍କୁ ଦେଖି ସଲମାନ ମଧ୍ୟ ଉତ୍ସାହିତ ହୋଇପଡିଥିଲେ । ମୁଖ୍ୟମନ୍ତ୍ରୀ ସଲମାନଙ୍କୁ ମଞ୍ଚ ଉପରେ ସମ୍ବର୍ନ୍ଧିତ କରିଥଲେ । ନିଜ ଅଭିଭାଷଣରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ସଲମାନ ।

ତେବେ ଲୋକଙ୍କ ଗହଣରେ ସଲମାନ ଖୁବ କମ ସମୟ ରହିଥିବାରୁ କେତେଜଣ ପ୍ରଶଂସକ ଦୁଃଖ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଓଲିଉଡ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a comment