ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ : ଜବାବ ଦାଖଲ କଲେ ଆଉ ୫ ସେବକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମ ବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆଉ ୫ ସେବକ ଜବାବ ଦାଖଲ କରିଛନ୍ତି । କାଶୀନାଥ ଦାସମହାପାତ୍ର, ଜୟକୃଷ୍ଣ ଦାସମହାପାତ୍ରଙ୍କ ସମେତ ୫ ସେବକ ଜବାବ ଦାଖଲ କରିଥିବା ବେଳେ ଜଣେ ଦଇତାପତି ଅସୁସ୍ଥତା କାରଣରୁ ପୁରୀ ବାହାରେ ଥିବାରୁ ଏଥିପାଇଁ ସମୟ ମାଗିଥିବା ଜଣାପଡିଛି । ପୂର୍ବରୁ ଏହି ଘଟଣାରେ ୪ ସେବକ ଜବାବ ଦାଖଲ କରିଥିଲେ ।
ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଗତ ୧୪ ତାରିଖରେ ୯ ଦଇତାପତି ଏବଂ ଜଣେ ମହାରଣା ସେବକଙ୍କୁ ନୋଟିସ ଜାରି କରିଥିଲା । ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ରହିଥିଲା । ହେଲେ ନୋଟିସ ପାଇବା ପୂର୍ବରୁ ସୁଭଦ୍ରାଙ୍କ ବାଡ଼ର ମୁଖ୍ୟ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା ବିଭ୍ରାଟ ପାଇଁ ଦଇତାଙ୍କୁ ଦାୟୀ କରିବା ସହ ଦାରୁ ଚୟନ ଓ ମାନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ମହାପ୍ରଭୁଙ୍କ ଘଟ ସ୍ଥାପନରେ ବିଳମ୍ବ ଏବଂ ଦାରୁ ଚୟନ ପ୍ରସଙ୍ଗ ପୁଣି ତାଜା ହୋଇଥିଲା ।
ଅନ୍ୟପକ୍ଷରେ ନୋଟିସର ଜବାବ ପ୍ରାୟ ସମସ୍ତେ ଦେଇ ସାରିଛନ୍ତି । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ବ୍ୟକ୍ତିଗତ ଭାବେ ସମସ୍ତଙ୍କ ପକ୍ଷ ଶୁଣିବା ପରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ୨୯ ତାରିଖରେ ନୋଟିସର ୧୫ ଦିନିଆ ମିଆଦ ପୂରିଛି । ଏହାପରେ ମୁଖ୍ୟ ପ୍ରଶାସକ ଶୁଣାଣି କରିବେ ବୋଲି ଜଣାପଡିଛି ।