ବିଧାନସଭା ଗୃହ ଅଚଳ, ୩ଟା ଯାଏଁ ମୁଲତବୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁସୂଚିତ ଜାତି ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ପାଇଁ କେନ୍ଦ୍ର ସରକାର ଦେଉଥିବା ଅନୁଦାନ ହ୍ରାସ କରିବା ଏବଂ ସଚିବାଳୟରେ ସିବିଆଇ ପ୍ରବେଶ କରିବା ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି । ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଗର୍ଜନରେ ଗୃହକାର୍ଯ୍ୟ ଅଚଳ ହୋଇଯାଇଛି । ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

କାର୍ଯ୍ୟସୂଚୀ ଅନୁଯାୟୀ, ସୋମବାର ପୂର୍ବାହ୍ନ ୧୦.୩୦ ମିନିଟରେ ସଭାକାର୍ଯ୍ୟ ଚଳାଇବା ପାଇଁ ବାଚସ୍ପତି ଗୃହକୁ ପ୍ରବେଶ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଶାସକ ଦଳ ସଭ୍ୟ ମହେଶ ସାହୁ ଏସସି ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟକୁ ମିଳୁଥିବା ଅନୁଦାନ କେନ୍ଦ୍ର ସରକାର ହ୍ରାସ କରିଥିବା ନେଇ ଏକ ଚିଠି ଦେଖାଇଥିଲେ । ପୂର୍ବରୁ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ଯଥାକ୍ରମେ ୯୦ ଏବଂ ୧୦ ପ୍ରତିଶତ ହିସାବରେ ଅନୁଦାନ ଦେଉଥିଲେ । ମାତ୍ର ମୋଦି ସରକାର ଆସିବା ପରେ ଏହାକୁ ଠିକ୍‌ ଓଲଟା କରାଯାଇଛି । ରାଜ୍ୟ ସରକାର ୮୦ ପ୍ରତିଶତ ଖର୍ଚ୍ଚ ଭରଣା କରୁଥିବାବେଳେ କେନ୍ଦ୍ର ସରକାର ୨୦ ପ୍ରତିଶତ ଦେଉଛନ୍ତି । ମାତ୍ର ସେହି ୨୦ ପ୍ରତିଶତ ଠିକ୍‌ ସମୟରେ ମିଳୁନାହିଁ । ଏମିତି ଅଭିଯୋଗ ଆଣି ସେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ । ତାଙ୍କ ସମର୍ଥନ ଜଣାଇ ଶାସକ ଦଳର ଅନ୍ୟ ସଦସ୍ୟ ସମୀର ରଞ୍ଚନ ଦାସ, ସୁଧୀର ସାମଲ, ଅମର ଶତପଥୀ, ପ୍ରୀତିରଞ୍ଜନ ଘଡାଇ, ଅତନୁ ସବ୍ୟସାଚୀ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ସଦସ୍ୟମାନେ କେନ୍ଦ୍ରରୁ ରାଜ୍ୟକୁ ମିଳିଥିବା ଚିଠି ଦେଖାଇ ହଟ୍ଟଗୋଳ କରିଥିଲେ । କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀ ପତି, ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା, ଭୁଜମଳ ମାଝୀ, ପ୍ରଫୁଲ୍ଲ, ମାଝୀ, ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ସଚିବାଳୟରେ ସିବିଆଇ ପଶିବା ନେଇ ରାଜ୍ୟ ସରକାର ତୁରନ୍ତ ଏହାର ସ୍ପଷ୍ଟିକରଣ ଦେବାକୁ କହିବା ସହ ରାଜ୍ୟ ସରକାରଙ୍କୁ ବିରୋଧ କରିଥିଲେ । ଶାସକ ଓ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ବିଧାନସଭା ଅଚଳ ହୋଇଯାଇଥିଲା । ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୂଲତବୀ ଘୋଷଣା କରିଥିଲେ ।

Leave a comment