ବ୍ରହ୍ମ ବିଭ୍ରାଟର ମୁଖ୍ୟଙ୍କ ମୁଖା ଖୋଲିଲା

0

ଫଟୋ: ସୌଜନ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ବାଦ ବିବାଦ ପରେ ସମଗ୍ର ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରିଥିବା ନବକଳେବର ବ୍ରହ୍ମ ବିଭ୍ରାଟ ଉପରୁ ଶେଷରେ ପରଦା ହଟିଛି । ବ୍ରହ୍ମ ବିଭ୍ରାଟର ମୁଖ୍ୟ ଅଭିଯୁକ୍ତ ଭାବେ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଦୋଷାରୋପ କରାଯାଇଛି । ବ୍ରହ୍ମ ପରିବର୍ତ୍ତନ ଗୁପ୍ତ ରୂପରେ ହେବାର ଯୁଗଯୁଗରୁ ପରମ୍ପରା ରହିଥିଲା ଯାହାକି ପ୍ରେମାନନ୍ଦ ଦାସ ମହାପାତ୍ର ଭଙ୍ଗ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ବ୍ରହ୍ମ ଦର୍ଶନ କରାଇ ଥିବା ପ୍ରମାଣ ମିଳିଛି ।

ଏସବୁ ଘଟଣାର ୧୫ ଦିନ ମଧ୍ୟରେ ଲିଖିତ ଉତ୍ତର ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରେମାନନ୍ଦଙ୍କୁ ଚିଠି ଦ୍ୱାରା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ସଠିକ ଭାବରେ କେତେଜଣ ବ୍ରହ୍ମ ଦର୍ଶନ କରିଥିଲେ ଜଣାପଡିନଥିଲେ ମଧ୍ୟ ପ୍ରେମାନନ୍ଦ ଦାସ ମହାପାତ୍ର, ବରିଷ୍ଠ ଦଇତାପତି ବିଶ୍ବନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର ଓ ଜୟକୃଷ୍ଣ ଦାସ ମହାପାତ୍ର ଆଦି ସେଦିନ ବ୍ରହ୍ମ ଦର୍ଶନ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗତ ୧୪ ତାରିଖରେ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦଙ୍କୁ ଚିଠି (ନଂ-୧୨୦୯୬)ରେ ୧୫ ଜୁନ୍ ୨୦୧୫ ରେ ନୂତନ ବିଗ୍ରହମାନଙ୍କର ବ୍ରହ୍ମ ସଂସ୍ଥାପନ ସମୟରେ ପୂର୍ବ ପରମ୍ପରା ଅନୁଯାୟୀ କାହିଁକି ଘଟ ପରିବର୍ତ୍ତନ କରାଗଲାନାହିଁ ଓ ଘଟ ପରିବର୍ତନ ବେଳେ ବିଶୃଙ୍ଖଳା ଉପୁଜିବାରୁ ଅହେତୁକ ବିଳମ୍ବ ହୋଇଥିଲା । ଯାହାକି ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିବା ସହ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ପ୍ରଶାସନକୁ ନିନ୍ଦିତ ହେବାକୁ ପଡ଼ିଥିଲା ବୋଲି ଲେଖିଥିବା ସୂଚନା ମିଳିଛି ।

ପ୍ରେମାନନ୍ଦ ନିଜେ ମଧ୍ୟ ବ୍ରହ୍ମ ଦର୍ଶନ ପାଇଁ ଜିଦ୍ ଧରିଥିଲେ । ଘଟ ପରିବର୍ତ୍ତନ ପୂର୍ବରୁ କୌଣସି ବାରଣକୁ ଖାତିର ନକରି ବ୍ରହ୍ମ ଦର୍ଶନ କରିଥିଲେ । ଯାହାକି ପରମ୍ପରା ଓ ନିୟମ ବିରୋଧୀ କାର୍ଯ୍ୟ । ଘଟ ପରିବର୍ତ୍ତନ ଏକ ଗୋପନୀୟ ନୀତି ଓ ବାହାରେ ଅପ୍ରକାଶ୍ୟ ହୋଇଥିବା ବେଳେ ଗଣମାଧ୍ୟମ ଆଗରେ ଏହା ପ୍ରକାଶ କରି ସଂପାଦକ ଜନମାନସରେ ଗଭୀର ଆଘାତ ଦେଇଛନ୍ତି । ଏଣୁ ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ଆଇନ-୧୯୫୫ ଧାରା ୨୧(କ) ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ଚିଠିରେ ଉଲ୍ଲେଖ କରିଛନ୍ତି । ସମାନ ଚିଠି ଉପରୋକ୍ତ ୫ ଜଣ ବରିଷ୍ଠ ଦଇତାପତିଙ୍କୁ ମଧ୍ୟ ହୋଇଛି ।

Leave a comment