ଅଭିଯୁକ୍ତ ଓକିଲଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କର, ହାବିଲଦାର୍ ମହାସଙ୍ଘର ଚେତାବନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨୯ ତାରିଖରେ ହାଇକୋର୍ଟରେ ହୋଇଥିବା ପୋଲିସ-ଓକିଲ ମୁହାଁମୁହିଁ ଘଟଣାକୁ ନେଇ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛି ଓଡିଶା ହାବିଲଦାର୍, କନଷ୍ଟେବଳ ଓ ସିପାହୀ ମହାସଙ୍ଘ । ଗତକାଲି ଭୁବନେଶ୍ୱର ସପ୍ତମ ବାଟାଲିଅନ ପରିସରରେ ହୋଇଥିବା ଏକ ସାମ୍ବାଦିକ ସମ୍ବିଳନୀରେ ସଂଘ ପକ୍ଷରୁ ଅଭିଯୋଗ ହୋଇଛିକି ସରକାର ଓ ଆଇନଜୀବୀ ଙ୍କ ମଧ୍ୟରେ ବିବାଦ ରେ ବିନା ଦୋଷ ରେ ବଳି ପଡୁଛନ୍ତି କନଷ୍ଟେବଳ ଓ ହାବିଲଦାର । ବିଚାରପତି ଓ ଆଡଭୋକେଟ୍ ଜେନରାଲଙ୍କ ସୁରକ୍ଷା ପାଇଁ ୬ ଜଣ ସାଧା ପୋଷାକଧାରୀ ପୋଲିସଙ୍କୁ ଆକ୍ରମଣ କରିଥିବା ଆଇନଜୀବୀଙ୍କ ବିରୁଦ୍ଧରେ ୪୮ ଘଣ୍ଟା ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଘ ତାର ବିକଳ୍ପ ରାସ୍ତା ଆପଣେଇବ ବୋଲି ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କୁ ଚେତାବନୀ ଦେଇଛି ସଙ୍ଘ।
ସୂଚନା ଅନୁଯାୟୀ, ଗତକାଲି ୨୯ ତାରିଖରେ ହାଇକୋର୍ଟ ପରିସର ପାଲଟିଥିଲା ରଣକ୍ଷେତ୍ର । କେମିତି ପୋଲିସକୁ ମାଡ ମାରିଛନ୍ତି ଓକିଲ ଓ ପୋଲିସ ଜଣକ ହାତ ଯୋଡି ଛାଡିଦେବାକୁ କହୁଛନ୍ତି । ସାଧା ପୋଷାକରେ ଡିଉଟିରେ ଥିବା ସଂପୃକ୍ତ ପୋଲିସକୁ ଗୋଟିଏ ରୁମରେ ବନ୍ଦ କରି ରଖାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ନିର୍ଯାତନାର ଭିଡିଓ ଜାରି କରିଛି ପୋଲିସ ସଂଘ । ଭିନ୍ନ ଭିନ୍ନ ଘଟଣାରେ ୧୯ ଜଣ ଆଇନଜୀବୀ ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ କୌଣସି ଜଣେ ଅଭିଯୁକ୍ତ କୁ ଏଯାଏଁ ଗିରଫ କରାଯାଇନାହିଁ । ପୋଲିସଙ୍କୁ ଆକ୍ରମଣ କରିଥିବା ଆଇନଜୀବୀଙ୍କ ବିରୁଦ୍ଧରେ ୪୮ ଘଣ୍ଟା ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ସଙ୍ଘ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କୁ ଚେତାବନୀ ଦେଇଛି ଓଡିଶା ହାବିଲଦାର୍, କନଷ୍ଟେବଳ ଓ ସିପାହୀ ମହାସଙ୍ଘ । ଭିଭିଆଇପି ଙ୍କ ସୁରକ୍ଷା ବ୍ୟବସ୍ଥା ରୁ ଓହରିବା ସହ ଆବଶ୍ୟକ ସ୍ଥଳେ ମୌନ ବ୍ରତ କରିବ ସଙ୍ଘ । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଏହା ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି ।
ଅଗଷ୍ଟ ୨୮ ତାରିଖ ଦିନ ସମ୍ପୃକ୍ତ ମଦ୍ୟପ ଆଇନଜୀବୀଙ୍କ ସହ ଘଟିଥିବା ଘଟଣାରେ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଅଭିଯୁକ୍ତ ଆଇନଜୀବୀଙ୍କ ବିରୋଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ପ୍ରଶ୍ନ କରିଛି ସଙ୍ଘ । ଏହି ଘଟଣା ରେ ଚାଉଳିଆଗଞ୍ଜ ଥାନାଧିକାରୀ ଙ୍କ ଭୂମିକା ସନ୍ଦେହ ଘେରରେ ଥିବା କହିଛି ସଙ୍ଘ ।
ଏହି ଗଣମାଧ୍ୟମ ସମ୍ମିଳନୀରେ ରାଜ୍ୟ ମହାସଂଘ ସଭାପତି ସନ୍ତୋଷ ଶତପଥି , ସମ୍ପାଦକ ପଞ୍ଚାନନ ବେହେରା , ଭୁବନେଶ୍ୱର ଶାଖା ସଙ୍ଘ ସଭାପତି ପ୍ରବୋଧ ଦାସ, ସାଙ୍ଗଠନିକ ସମ୍ପାଦକ ବୃନ୍ଦାବନ ବେହେରା, କଟକ ସଙ୍ଘ, ସପ୍ତମ ବାଟାଲିୟନ ଓ ଜିଆରପି ସଙ୍ଘର ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।