ଚାଉଳ ବିକିବାକୁ ନେଉଥିଲେ, ଧରା ପଡ଼ିଲେ ହେଡ୍ ସାର୍ !!!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍କୁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ବିକ୍ରି କରିବାକୁ ନେବା ସମୟରେ ଲୋକଙ୍କ ହାତରେ ଧରପଡିଛନ୍ତି । ଅଭିଯୋଗ ପରେ
ସିଆର୍ସିସି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପଥରପୁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗୀରଥି ପାତ୍ର ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଚାଉଳ କୁ ବଜାର କୁ ବିକ୍ରି କରିବାକୁ ନେଉଥିବା ଅଭିଯୋଗ ଆସିଛି । ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ୩ ବସ୍ତା ଚାଉଳ ପ୍ରଧାନଶିକ୍ଷକ ଏକ ରିକ୍ସାରେ ଲଦି ବିକ୍ରି କରିବାକୁ ନେଉଥିବା ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ସେମାନେ ରିକ୍ସାକୁ ଅଟକାଇ ପ୍ରଧାନଶିକ୍ଷକଙ୍କୁ ଏସମ୍ୱନ୍ଧରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏହା କୁ ନେଇ ସ୍କୁଲ୍ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା।
ରିକ୍ସା ଚାଳକକୁ ଗ୍ରାମବାସୀ ପଚାରିବାରୁ ସେ କହିଛନ୍ତି ଯେ ଚାଉଳ ବସ୍ତା ଗୁଡ଼ିକୁ ବିକ୍ରି କରିବା ପାଇଁ ଦୋକାନକୁ ନେଉଥିଲେ।
ସେହିପରି, ଏହି ଘଟଣାର ଅଭିଯୋଗ ପରେ ସିଆରସିସି ପ୍ରଦୀପ କୁମାର ଜେନା କହିଛନ୍ତି,“ମତେ ବିଇଓ ଫୋନ୍ କରି ଏହି ଘଟଣା ସମ୍ପର୍କରେ କହିଥିଲେ ଓ ସ୍କୁଲକୁ ଯିବାକୁ କହିଥିଲେ । ପ୍ରଧାନଶିକ୍ଷକ ଚାଉଳ ବିକ୍ରି କରିବାକୁ ନେଉଥିଲେ ବୋଲି ଗ୍ରାମବାସୀ ମତେ ଅଭିଯୋଗ କରିଛନ୍ତି, ଘଟଣାର ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”