ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମତିଥି ଅବସରରେ ‘ଲୌହ ମାନବ’ ଭାବରେ ପରିଚିତ ମହାନ ଜନନାୟକ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଛନ୍ତି। ଏହି ପ୍ରତିମୂର୍ତ୍ତି କୁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନାମରେ ନାମିତ କରାଯାଇଛି । ଯାହାକି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ।

ଗୁଜରାଟର ନର୍ମଦା ନଦୀକୂଳରେ ପ୍ରତିଷ୍ଠିତ ଧୋତି ଏବଂ ଶାଲ୍‌ ପିନ୍ଧା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିକୃତି ୨୦୧୩ ମସିହା ଅକ୍ଟୋବର ମାସରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହାର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ରେ ୨୯୮୯ କୋଟି ବ୍ୟୟ ହୋଇଛି । ପଦ୍ମଶ୍ରୀ ଏବଂ ପଦ୍ମ ବିଭୂଷଣ ପ୍ରାପ୍ତ ରାମ ବନ୍‌ଜୀ ସୁତାର ଏହାର ଡିଜାଇନ୍‌ କରିଛନ୍ତି।

ଗୁଜରାଟର ରାଜ୍‌ପିପ୍‌ଲା ନିକଟରେ ତଥା ନର୍ମଦା ନଦୀ ତଟରେ ଥିବା ଏକ ଦ୍ୱୀପ ସାଧୁବେଟ୍‌ଠାରେ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ପଟେଲଙ୍କ ଏହି ଭବ୍ୟ ମୂର୍ତ୍ତି ଆଜିଠାରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ଗୁଜରାଟ ରାଜ୍ୟପାଳ ଓମ୍‌ ପ୍ରକାଶ କୋହଲି, ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ଏବଂ କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲା ମଧ୍ୟ ଯୋଗଦେଇଥିଲେ ।

ଅପରପକ୍ଷରେ ଏହି ପ୍ରକଳ୍ପରେ ସରକାର ଅଯଥା ଖର୍ଚ୍ଚ କରିଥିବା ଦର୍ଶାଇ ସ୍ଥାନୀୟ ଆଦିବାସୀ ଏବଂ କୃଷକମାନେ ଏହି ଦିନକୁ ‘କଳା ଦିବସ’ ରୂପେ ପାଳନ କରୁଛନ୍ତି ।

Leave a comment

You cannot copy content of this page