ନବକଳେବର ର ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେବନାହିଁ
ଓଡିଶା ଫାଷ୍ଟ(ବ୍ୟୁରୋ): ନବକଳେବର ଘଟଣା ବେଳେ ଘଟିଥିବା ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟିରେ ନୀତିଗତ ଭାବରେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି । ଯଦି କେହି ସୂଚନା ଅଧିକାର ଆଇନ ବଳରେ ବ୍ରହ୍ମ ବିଭ୍ରାଟ ତଥ୍ୟ ମାଗନ୍ତି, ତେବେବି ତାଙ୍କୁ ଏହା ଉପଲବ୍ଧ ହେବନାହିଁ ।କାରଣ ଯେହେତୁ ଏହା ଏକ ସ୍ପର୍ଶକାତର ଘଟଣା ଏବଂ ତାହା ସହ ଏଥିରେ ମହାପ୍ରଭୁଙ୍କ ନୀତି ଏବଂ ପରମ୍ପରା ଜଡିତ ଥିବାରୁ, ଏହାକୁ ସାର୍ବଜନୀନ କରାଯାଇପାରିବ ନାହିଁ । କିନ୍ତୁ ମୁଖ୍ୟ ପ୍ରଶାସକ ଏହି ବ୍ରହ୍ମ ବିଭ୍ରାଟ ଘଟଣାକୁ ସ୍ୱୀକାର କରିବା ସହ ଏହି ଘଟଣା ରେ ସମ୍ପୃକ୍ତ ଥିବା ୧୦ ରୁ ୧୫ଜଣ ସେବାୟତ କାରଣ ଦର୍ଶାଅ ନୋଟିସ ଜାରି କରା ଯିବା ସହ ସେମାନଙ୍କ ବିରୁଦ୍ଧରେ ମନ୍ଦିର ପ୍ରଶାସନ ର ୨୧(ଖ) ଅନୁସାରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି ସୂଚନା ଦେଇଛନ୍ତି।