କାହା ବଳରେ ବଳିୟାନ ହାଟ ସଭାପତି ଗୟାଧର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନରୁ ବିବାଦରେ ରହି ଆସିଥିବା ୟୁନିଟ-୧ ହାଟ ସ୍ଥିତ ଗଣେଶ ମନ୍ଦିରକୁ ନିଜ ଅଧୀନକୁ ନେଲା ଭୁବନେଶ୍ୱର ମହାନଗର ନିଗମ(ବିଏମସି) । ଦୀର୍ଘ ଦିନ ହେଲା ଏହି ଗଣେଶ ମନ୍ଦିର ଓ ମଣ୍ଡପ ହାଟ ସଭାପତି ଗୟାଧର ସ୍ୱାଇଁଙ୍କ କବଜାରେ ଥିଲା । ବ୍ୟବସାୟୀ ସଂଘର ଅଭିଯୋଗ ପରେ ଶେଷରେ ବିଏମସି ଏହାକୁ ନିଜ ଅଧୀନକୁ ନେଇଛି ।
ସୂଚନା ଅନୁଯାୟୀ, ୧୯୮୪ ମସିହାରୁ ୟୁନିଟ-୧ ହାଟ ବିଏମସି ଅଧୀନରେ ରହିଛି । ମାତ୍ର ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ବେଆଇନ ଭାବେ ନିର୍ମାଣ କରାଯାଇଥିଲା ଗଣେଶ ମନ୍ଦିର ଓ ଦୁଇ ମହଲା ବିଶିଷ୍ଟ ମଣ୍ଡପ । ୨୦୦୬ ମସିହାରୁ ଏହି ମଣ୍ଡପର ଉପର ମହଲାକୁ ଏକ ନିର୍ଦ୍ଧିଷ୍ଟ ଏନଜିଓକୁ ଭଡାଦେଇ ଗୟାଧର ମାସକୁ ୧ଲକ୍ଷ ଟଙ୍କା ଅଦାୟ କରୁଥିବା ଅଭିଯୋଗ ଆସିଛି । ଗୟାଧର ଗତ ୧୨/୧୩ ବର୍ଷ ମଧ୍ୟରେ ଭଡା ବାବଦକୁ ୧କୋଟିରୁ ଅଧିକ ଟଙ୍କା ନେଇଥିଲେ କିନ୍ତୁ ବିଏମସିକୁ ଗୋଟିଏ ଟଙ୍କା ମଧ୍ୟ ଦେଇନଥିଲେ । ଗୟାଧର ସଙ୍ଘକୁ ପ୍ରତିମାସ ମଣ୍ଡପ ଭଡା ବାବଦରେ କେବଳ ୫୦୦୦ ଟଙ୍କା ଦେଉଥିଲେ ଓ ବାକି ଟଙ୍କାକୁ ସେ ହଡପ କରିନେଉଥିବା ଅଭିଯୋଗ କରିଛନ୍ତି କଞ୍ଚା ପରିବା ମହାସଂଘର ସଭାପତି କବିରାଜ ସ୍ୱାଇଁ । ସେହିପରି ଏହି ହରିଲୁଟ ଜଣେ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଚାଲୁଥିବା ଓ ଅଭିଯୋଗ ପରେ ମଧ୍ୟ ବିଏମସି ଗୟାଧରଙ୍କ ବିପକ୍ଷରେ କିଛି ପଦକ୍ଷେପ ନେବାକୁ ସାହସ କରୁନଥିଲା ବୋଲି ସଂଘର କିଛି ସଦସ୍ୟ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ ଗତ ୧୦ ସେପ୍ଟେମ୍ବରରେ ବିଏମସି ଗଣେଶ ମଣ୍ଡପରୁ ଜବରଦଖଲକାରୀଙ୍କୁହଟାଇବ ସହ ନିଜ ଅଧୀନକୁ ଆଣିଥିଲା । ହେଲେ ଗତ ୩୦ ଅକ୍ଟୋବର ରେ ଗୟାଧରଙ୍କ କିଛି ସମର୍ଥକ ଗଣେଶ ମନ୍ଦିର ତାଲା ଭାଙ୍ଗି ଭଜନ କୀର୍ତ୍ତନ କରିଥିଲେ । ଏସମ୍ୱନ୍ଧରେ ଖବର ପାଇ ହାଟ ଫି ଅଦାୟକାରୀ ଜଗନ୍ନାଥ ବେହେରା କ୍ୟାପିଟାଲ ଥାନାର ଏକ ମାମଲା ରଜ୍ଜୁ କରିଥିଲେ । ଏବଂ ମାର୍କେଟ ସୁପରିଟେଣ୍ଡେଣ୍ଟ ପୋଲିସ ଉପସ୍ଥିତିରେ ମନ୍ଦିରରେ ତାଲା ପକାଇଥିଲେ । କଞ୍ଚା ପରିବା ମହାସଂଘ ସଭାପତି ଓ ଅନ୍ୟ ବ୍ୟବସାୟୀମାନେ ବିଏମସି କମିଶନର ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବିଏମସି ପକ୍ଷରୁ ଭୁବନେଶ୍ୱର ଡିସିପି ନିକଟରେ ଏକ ଏଫଆଇଆର ଦାୟର କରାଯାଇଥିବା ବିଏମସି କମିଶନର କହିଛନ୍ତି ।