ବିଜେଡିରେ ବିଭୀଷଣ କିଏ, ମନ୍ତ୍ରୀଙ୍କ ପଛରେ ଲାଗିଛି ଯିଏ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ନେଇ ବିଜେଡିରେ ଶୀତଳ ଯୁଦ୍ଧ ଲାଗିଥିବା ପରିଲକ୍ଷିତ ହେଉଛି । କେତେକ ଗୁପ୍ତ ଶତ୍ରୁ ନିଜକୁ ଗୋପନୀୟ ରଖି ଅନ୍ୟ ଜଣେ ଅଗଧାଡ଼ିର ଯୁବନେତାଙ୍କ ମିଥ୍ୟା ଦଳୀୟ ପ୍ୟାଡ଼ରେ ମନ୍ତ୍ରୀଙ୍କ ନାଁରେ ଗଣମାଧ୍ୟମକୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଯାହାକୁ ନେଇ ଯୁବନେତା ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ନେଇ ଥାନାରେ ଅଭିଯୋଗ କରୁବାକୁ ପ୍ରସ୍ତୁତ ହେଲେଣି ।
ସୂଚନା ଅନୁଯାୟୀ, ଗତ କିଛିଦିନ ଧରି ବିଜେଡିର ଜଣେ ବରିଷ୍ଠ ନେତାଙ୍କୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିବା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ଭୁବନେଶ୍ୱରରେ ବିଜେଡିର ପଦଯାତ୍ରାରେ ଉକ୍ତ ମନ୍ତ୍ରୀ କିଛି ଦଳୀୟ ଆଗଧାଡ଼ିର ନେତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆସିଥିଲା । ମାତ୍ର ଏହାକୁ ନେଇ କୌଣସି ନେତା କିଛି ମତବ୍ୟକ୍ତ କରିନଥିଲେ । କିଛି ଦଳୀୟ କର୍ମୀଙ୍କ ଅସନ୍ତୋଷ ମଧ୍ୟରେ ଜଣେ କେହି ବ୍ୟକ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶ ଜେନା(ବାଇଁଆ)ଙ୍କ ଦଳୀୟ ପ୍ୟାଡ଼ର ଦୁରୂପଯୋଗ କରିଥିବା ଘଟଣା ସମ୍ନାକୁ ଆସିଛି । ଉକ୍ତ ବ୍ୟକ୍ତି ଶ୍ରୀ ଜେନାଙ୍କ ପ୍ୟାଡ଼ରେ ମନ୍ତ୍ରୀଙ୍କ ବିରୁଦ୍ଧରେ ଲେଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ଏହାର ସତ୍ୟାସତ୍ୟ ଜାଣିବାକୁ ଶ୍ରୀ ଜେନଙ୍କୁ ଫୋନ କରିବା ପରେ ସେ ଏ ଘଟଣା ସମ୍ୱନ୍ଧରେ ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଶ୍ରୀ ଜେନା ଖୁବ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା କୌଣସି ବ୍ୟକ୍ତି ତାଙ୍କୁ ବଦନାମ କରିବାକୁ ହୀନପ୍ରାୟସ ବୋଲି କହିଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ କରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି । ଏହି ଘଟଣା ପରେ ମନ୍ତ୍ରୀଙ୍କ ବିରୋଧୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ସ୍ପଷ୍ଟ ବାରି ହୋଇଯାଉଛି । ମନ୍ତ୍ରୀଙ୍କ କିଛି ବିରୋଧୀ ତାଙ୍କୁ ସିଧାସଳଖ ଟାର୍ଗେଟ କରିନପାରି ଏପରି ପନ୍ଥା ଅପଣାଇଥିବା ଚର୍ଚ୍ଚା ଜୋର ଧରିଛି ।