ସଂସ୍କୃତି ଆଳରେ ମଠରେ ଜୋତା ବ୍ୟବସାୟ ହେଉଥିବା ଚର୍ଚ୍ଚା

0

ଓଡିଶା ଫାଷ୍ଟ(ବ୍ୟୁରୋ): ପୁରୀର ମଠ ଉଚ୍ଛେଦକୁ ନେଇ ନିଜକୁ ସଂସ୍କୃତିର ଜାଗ୍ରତ ପ୍ରହରୀ ବୋଲାଉଥିବା କିଛି ବ୍ୟକ୍ତି ବିଶେଷ ସୋସିଆଲ ମିଡ଼ିଆକୁ ଅସ୍ତ୍ର ରୂପେ ବ୍ୟବହାର କରି ଏଘଟଣାକୁ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରୁଥିବା ନଜର ଆସୁଛି । ଜଗନ୍ନାଥ ଦର୍ଶନକୁ ପୁରୀ ଯାଉଥିବା ଏହି ବ୍ୟକ୍ତି ମାନେ ଦିନେ ଏହି ମଠ ଗୁଡିକୁ ଆଡ ଦୃଷ୍ଟିରେ ଚାହୁଁନଥିଲେ ଆଜି ହଠାତ ସେମାନଙ୍କ ମନରେ ସଂସ୍କୃତି ପ୍ରୀତି ଜାଗ୍ରତ ହୋଇଛି । ସେହିପରି ଯେଉଁ ସାଧୁସନ୍ଥମାନେ ଏବେ ମଠର ସୁରକ୍ଷା କଥା ଉଠାଉଛନ୍ତି, ସେମାନେ ଏତେ ବର୍ଷ ହେଲା ଏହି ପ୍ରସ୍ତାବ ବା ପରାମର୍ଶ ଦେଉନଥିଲେ କାହିଁକି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ଏମାର ମଠ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଜଡିତ ଥିଲା । କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି କଣ କହୁଛି ଯେ, ମଠରେ ଜୋତା ଷ୍ଟାଣ୍ଡ ରହିବ ଏବଂ ମଠରେ ଘର ଭଡା ନେଇ ଚପଲ ବିକ୍ରି କରାଯିବ । ଏହା କଣ ମଠର ପବିତ୍ରତା? କେବଳ ଏତିକି ନୁହେଁ, ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢିଉଠିଥିବା ମଠଗୁଡିକ ମୂଳ ଉଦ୍ଦେଶ୍ୟରୁ ଦୂରେଇ ଯାଇ ବ୍ୟବସାୟୀକ ହୋଇଯାଇଥିଲେ । ମଠର ଜମିକୁ ବ୍ୟବସାୟୀକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା । ଏହାଦ୍ବାରା କଣ ମଠର ପବିତ୍ରତା ନଷ୍ଟ ହେଉନଥିଲା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ?

ସୂଚନା ଅନୁଯାୟୀ, ବର୍ତ୍ତମାନ ହେଉଥିବା ଉଚ୍ଛେଦରେ ମୂଳ ମଠର ଉଚ୍ଛେଦ ହୋଇନାହିଁ । କେବଳ ମଠର ବ୍ୟବସାୟକରଣ ହେଉଥିବା ନିର୍ମାଣକୁ ଭାଙ୍ଗିଦିଆଯାଉଛି । ଏହାଦ୍ବାରା ଏବେ ପୁରୀକୁ ଯାଉଥିବା ଭକ୍ତମାନେ ପ୍ରକୃତ ମଠକୁ ଦେଖିବେ ଏବଂ ସେଠାରେ ସାଧୁ ସନ୍ଥଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ । ପୁରୀର ଅଧିକାଂଶ ମଠର ସ୍ଥିତି ସମାନ । ମଠର ଚାରିପରେ ଗଢିଉଠିଥିବା ଦୋକାନ ଘର ଏବଂ ସେମାନଙ୍କ ସାଇନ ବୋର୍ଡରେ ମଠର ବୋର୍ଡ ଲୁଚି ଯାଉଥିଲା । ଆଉ ମଠଗୁଡିକ ମଧ୍ୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରୁ ଦୂରେଇ ଯାଇ ନିଜସ୍ବ ବ୍ୟବସାୟୀକରଣରେ ଲାଗିପଡିଥିଲେ । କୌତୂହଳ କଥା ହେଉଛି, ବିଭିନ୍ନ ମଠ ଅତୀତରେ ଏକର ଏକର ସଂପତ୍ତି ସମସ୍ତଙ୍କ ଅଗୋଚରରେ ବିକ୍ରି କରିଦେଇ ଚଳୁ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଦୋକାନ, ଲୋକଙ୍କୁ ମଠରେ ଆଶ୍ରୟ ଦେଇ ଅର୍ଥ ଆଦାୟ କରିଛନ୍ତି। ଏ ଅର୍ଥର ପରିମାଣ କେତେ ସେ ସଂକ୍ରାନ୍ତରେ ରାଜ୍ୟ ଦେବୋତ୍ତର ବିଭାଗ କେବେ ବି ଖୋଳତାଡ ହୋଇନି । ବ୍ୟବସାୟକରଣରୁ ମିଳିଥିବା ଅର୍ଥରେ ମଠାଧୀଶମାନେ ନିଜ ମଠର ବିକାଶ ବି କରିନାହାନ୍ତି । ଯାହାର ପରିଣାମରେ ଆଜି ମଠ ଦୁର୍ବଳ ଅବସ୍ଥାକୁ ଚାଲିଆସିଥିଲା । ମଠର ବ୍ୟବସାୟକରଣ ପରେ ମଧ୍ୟ ମଠାଧୀସମାନେ କେବେ ମଠର ରକ୍ଷଣାବେକ୍ଷଣ କଥା ଚିନ୍ତା କରିନାହାଁନ୍ତି ।

ଯାହା ଫଳରେ ରାଜ୍ୟ ସରକାର ଅନେକ ସମୟରେ କିଛି କିଛି ମଠକୁ ବିପଦଶଙ୍କୁଳ ବୋଲି ଘୋଷଣା କରିଛନ୍ତି । ସେହିଭଳି ପୂର୍ବରୁ କେବେ ବି କୌଣସି ମଠ ପକ୍ଷରୁ ପୁରୀରେ ସାଧୁ ସନ୍ଥଙ୍କ ମେଳୀ କରାଯାଇନଥିଲା ବେଳେ ହଠାତ ଐତିହ୍ୟ ସହର ଆଡେ ଆଗଉଥିବା ପୁରୀରେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କ ମେଳି ହେଉଛି । କିଏ ଏହି ମେଳିକୁ ପ୍ରୋତ୍ସାହିତ କରୁଛି । ଉଚ୍ଛେଦର ଦଶ ଦିନ ପରେ ହଠାତ କାହିଁକି ବିରୋଧାଭାସ ଦେଖାଦେଲା ? କାହିଁକି ଚୁପ ରହିଥିବା ମଠାଧୀଶ ଓ ସାଧୁସନ୍ଥ ବିରୋଧ ପାଇଁ ପାଗ ଭିଡିଲେ ? ଉଚ୍ଛେଦକୁ ବିରୋଧ କରି କିଛି ସାଧୁ ମଠ ପାଚେରୀ ଉପରେ ଛିଡା ହୋଇ ବାଡି ବୁଲେଇଲେ । ଏହା କଣ ସନ୍ଥଙ୍କ ପରିଚୟ ?

ସେହିଭଳି ଏବେ ପୁରୀରେ ପ୍ରାୟ ୨ହଜାର ନାଗା ସାଧୁ ମେଳି ବାନ୍ଧୁଛନ୍ତି । ଏବାଦରେ ପୋଲିସ ଓ ଜିଲ୍ଲା ପ୍ରଶାସନ ସଚେତନ ଅଛନ୍ତି କି ନାହିଁ ତାହା ଜଣାନାହିଁ । କିନ୍ତୁ ନାଗା ସାଧୁଙ୍କ ମେଳୀ ପୋଲିସ ପାଇଁ ନିଶ୍ଚିତ ଭାବେ ଚିନ୍ତାଜନକ ହେବ । ୧୯୫୫ ମସିହା ପରେ ପ୍ରଥମ ଥର ପାଇଁ ପୁରୀରେ ନାଗା ସାଧୁଙ୍କ ମେଳି ହେଉଛନ୍ତି । ୧୯୫୫ ରଥଯାତ୍ରା ସମୟରେ ପୋଲିସ ଓ ନାଗା ସାଧୁଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ତା ପରଠାରୁ ରଥଯାତ୍ରାକୁ ନାଗା ସାଧୁଙ୍କୁ ବାରଣ କରାଯାଇଥିଲା । ଏବେ ପୁଣି ଥରେ ଏହି ସାଧୁ ନିଜର ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଏକତ୍ର ହେବା ପୁଣି ଥରେ ଏକ ବଡ ଧରଣର ବିପଦକୁ ଆମନ୍ତ୍ରଣ କରୁଛି ।

Leave a comment