ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ଇଡକଲ ଅଡିଟୋରିୟମରେ ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦଳର ବିଜୟ ଧାରା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଆସନ୍ତା କାଲିଠାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବିଜେଡ଼ିର ସଭ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ସମସ୍ତ ସଭ୍ୟଙ୍କ ଆଧାର ଲିଙ୍କ କରାଯିବ । ଯାହାଦ୍ୱାରା ପ୍ରତେକ ସଭ୍ୟ ସରକାରଙ୍କ ଯୋଜନାରୁ ଲାଭବାନ ହେଉଛନ୍ତି ନା ନାହିଁ ତାହା ଜଣାପଡିବ ।
ସେହିପରି ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ୫-ଟି ଉପଯୋଗ କରିବାକୁ ନିଷ୍ପତି ନେଇଛି । ଛାତ୍ର, ମହିଳା ଓ ଯୁବକଙ୍କ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଦେବା ସହ ‘ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ’ ଓ ‘ସମ୍ବିଧାନର ମୁଖବନ୍ଧରେ ଅହିଂସା’କୁ ସାମିଲ ଭଳି ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ଏହି ଅଭିଯାନରେ ୪୭ ଲକ୍ଷ ନୂତନ ସଭ୍ୟ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ଏହା ୫୦ ଶତକଡା ବୃଦ୍ଧି ପାଇବାକୁ ଆକଳନ କରାଯାଇଛି । ତେଣୁ ତୃଣମୂଳ ସ୍ତରର ଦଳର କର୍ମକର୍ତ୍ତା ଓ କର୍ମୀଙ୍କୁ ସାଥିରେ ଧରି ପ୍ରତି ଘରେ ପହଞ୍ଚିବାକୁ ଦଳୀୟ ସୁପ୍ରିମୋ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ସମସ୍ତଙ୍କୁ ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ ।
ନୂତନ ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରତି ୱାର୍ଡରୁ ୪ ଜଣ ସକ୍ରିୟ ସଦସ୍ୟ, ପ୍ରତି ଏନଏସିରୁ ୫ ଜଣ ସକ୍ରିୟ ସଦସ୍ୟ ହେବେ, ମ୍ୟୁନିସିପାଲଟି ସ୍ତରରେ ୧୫ ଜଣ ଓ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ସକ୍ରିୟ ସଦସ୍ୟକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ । ବର୍ତ୍ତମାନ ସଦସ୍ୟ ସଂଖ୍ୟାରୁ ଦୁଇଗୁଣ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଦଳର ସାଧାରଣ ସଂପାଦକ ଅରୁଣ ସାହୁ । ଅନ୍ୟପଟେ ଦଳର ସମସ୍ତ ସାଂଗଠନିକ ନିର୍ବାଚନ ଦାୟିତ୍ୱ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସର୍ବ ସମ୍ମତିରେ ଦିଆଯାଇଛି ।