ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହରାଞ୍ଚଳ ବାସୀଙ୍କୁ ଉପହାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳର ସମସ୍ତ ୱାର୍ଡରେ ଖୋଲାଯିବ ୱାର୍ଡ ଅଫିସ । ୱାର୍ଡର ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟର ତଦାରଖ କରିବ ଏହି ୱାର୍ଡ ଅଫିସ । ଏହି ଅଫିସ ଗୁଡିକରେ ଜଣେ ଲେଖାଏଁ ୱାର୍ଡ ଅଫିସର ରହିବେ । ୱାର୍ଡ କାର୍ଯ୍ୟାଳୟର ପ୍ରମୁଖ ଉଦ୍ଦେଶ୍ୟ ସଫେଇ, ଡ୍ରେନେଜ ଓ ବର୍ଜବ୍ୟସ୍ତୁ ପରିଚାଳନା ସଂକ୍ରାନ୍ତରେ ତୃଣମୂଳ ସ୍ତରରେ ତଦାରଖ କରିବା । ମହାନଗର ନିଗମ ଅଧିନସ୍ଥ ଭିତିଭୂମୀ ତଥା ରାସ୍ତା, ନାଳ, ଷ୍ଟ୍ରିଟ ଲାଇଟ, ପାର୍କ, ପାର୍କିଂ ସ୍ଥାନ ଏବଂ ଭେଣ୍ଡିଂ ଜୋନର ବିକାଶ ଓ ରକ୍ଷଣାବେକ୍ଷଣ ମଧ୍ୟ ୱାର୍ଡ କାର୍ଯ୍ୟାଳୟର ଉଦ୍ଦେଶ୍ୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଆଜି ‘ୱାର୍ଡ ଅଫିସ’ ଖୋଲିଛନ୍ତି । ଏଥିସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର(ମାଇକ୍ରୋ କମ୍ପୋଜିଟ୍ ସେଣ୍ଟର) ପାଇଁ କାମ ଆରମ୍ଭ କରାଯାଇଛି ।

ଭୁବନେଶ୍ୱର ପାଇଁ ଫାଷ୍ଟ ଟ୍ରାକ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଅନଲାଇନରେ ମାତ୍ର ୪୮ ଘଂଟାରେ ଅନୁମୋଦନ ହେବ ଘର ନକ୍ସା । ସେଥିପାଇଁ ଇ-ବିପାସ  ଅନଲାଇନର ଶୁଭାରମ୍ଭ କରାଯାଇଛି । ୫୦୦ ବର୍ଗ ମିଟରରୁ କମ୍ ପ୍ଲଟ୍ ଏରିଆ ପାଇଁ ପ୍ରାୟ ୮୦ ଶତକଡ଼ା ଲୋକଙ୍କୁ ଅତି ସହଜରେ ପ୍ଲାନ୍ ଅନୁମୋଦନ ମିଳିବ ।

ସେହିପରି ଅନ୍ ଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ଏବଂ ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅନଲାଇନ୍ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ଟି ମାଇକ୍ରୋ କମ୍ପୋଜିଟ୍ ୟୁନିଟ୍ ସହ ୨୬ ଟି ପୌର ସଂସ୍ଥାରେ ୭୦ କୋଟି ଟଙ୍କା ବ୍ୟୟରେ ମଳପଙ୍କ ବିଶୋଧନ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଦୈନିକ ୪ ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ । ଯେଉଁଥିରୁ ୮ ଲକ୍ଷ ଲୋକ ଉପକାର ପାଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ।

ସେହିଭଳି ରାଜସ୍ୱ ଆଦାୟକୁ ବି ଆହୁରୀ ବ୍ୟାପକ  କରିବା ପାଇଁ ହୋଲଡିଂ, ଟ୍ୟାକ୍ସ, ବିଜ୍ଞାପନ, ୟୁଜର ଫି ଆଦାୟ ଏବଂ ଟ୍ରେଡ ଲାଇସେନ୍ସ ଇତ୍ୟାଦିକୁ ପରିବ୍ୟାପ୍ତ କରାଇବା ହେଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହିସବୁ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭିଡ଼ିଓ କନଫରେନ୍ସିଂରେ ପୁରୀ, ବ୍ରହ୍ମପୁର ଓ ଭୁବନେଶ୍ୱରର ସହିଦନଗରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

Leave a comment