ଗଣମାଧ୍ୟମ ଓ ଲୋକସଂପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବେ ମାନସ ମଙ୍ଗରାଜଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ମିଳିଲା ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାନସ ମଙ୍ଗରାଜଙ୍କୁ ଗଣମାଧ୍ୟମ ଓ ଲୋକସଂପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଚଳିତ ନିର୍ବାଚନ ସମୟରେ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱ ମିଳିଥିଲା । ମାନସ ଖୁବ ନିଷ୍ଠାର ସହ ନିଜ ଦାୟିତ୍ୱ ପ୍ରତିପାଦନ କରିଥିଲେ । ଯାହାକି ଦଳ ମଧ୍ୟରେ ତାଙ୍କ ଗୁରୁତ୍ୱ ବଢାଇଥିଲା ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ୫ମ ପାଳି ଶାସନ ଦାୟିତ୍ୱ ନେବାପରେ ନୂତନ ମନ୍ତ୍ରୀ ମାନକୁ ଜନତାଙ୍କ ସମସ୍ତ ଅସୁବିଧା ବୁଝି ନୂତନ ଜନାଭିମୁଖୀ ଓ ଲୋକହିତକାରୀ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ପଦକ୍ଷପର ପ୍ରଚାର ପ୍ରସର କରି ଲୋକଙ୍କ ପାଖରେ ଏହା ପହଞ୍ଚେଇବା ପାଇଁ ଆଜି ମାନସ ମଙ୍ଗରାଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଏବଂ ଲୋକସଂପର୍କ ଉପଦେଷ୍ଟା ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ପ୍ରତିପାଦନ କରିବେ ।