ଜାତୀୟ କୃମିନାଶକ ଦିବସ: ଓଡିଶାର ୧କୋଟିରୁ ଅଧିକ ପିଲାମାନଙ୍କୁ ସୁସ୍ଥ ରଖିବା ସହିତ ସେମାନଙ୍କ ପରିପୁଷ୍ଟିର ବିକାଶ କରିବା ଅଭିଯାନର ଲକ୍ଷ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୃମିନାଶକର ଭୂମିକା ଗୁରୁତ୍ୱକୁ ଉପଲବ୍ଧି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଯୋଗରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ପରିବାର କଲ୍ୟାଣ ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଯୋଗ ଦେଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରତି ୬ମାସରେ ଥରେ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ କୃମିନାଶକ ଔଷଧ ଓ ୯ମାସରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ୍ ‘କ’ର ଦ୍ରବଣ ଖାଇବାକୁ ଦିଆଯାଉଛି । ଏହି ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଥିଲେ, ନିୟମିତ କୃମିନାଶକ ଔଷଧ ଖାଇବା ଦ୍ୱାରା ପିଲାମାନେ ଏହି ପରଜୀବି ସଂକ୍ରମଣ ଦ୍ୱାରା ହେଉଥିବା ରକ୍ତହୀନତା, ପୁଷ୍ଟିହୀନତା ଜନିତ ଶାରିରୀକ, ମାନସିକ, ବୌଦ୍ଧିକ ବିକାଶରେ ବାଧାରୁ ରକ୍ଷା ପାଆନ୍ତି ।

ଏହି ବର୍ଷ ଅଗଷ୍ଟ ମାସରେ ହେଉଥିବା ଏହି ଅଭିଯାନରେ ଓଡିଶା ସରକାର ୧ବର୍ଷରୁ ୧୯ବର୍ଷ ମଧ୍ୟରେ ୧କୋଟି ୩୦ ଲକ୍ଷ ପିଲାମାନଙ୍କୁ ଏହି ବଟିକା ଖାଇବାକୁ ଦେବା ପାଇଁ ଯୋଜନା କରିଛନ୍ତି । ଏହି ଅଭିଯାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ ସହଯୋଗରେ ବର୍ଷକୁ ୨ଥର କାର୍ଯ୍ୟକାରୀ କରାଯାଉଛି । ଏହି ବର୍ଷ ଅଗଷ୍ଟ ୮ ତାରିଖରେ ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ମାଗଣାରେ ଏହି ଔଷଧ ଖାଇବାକୁ ଦିଆଯାଇଛି । ଯେଉଁ ପିଲାମାନେ ଅସୁସ୍ଥତା ବଶତଃ କିମ୍ବା ଅନୁପସ୍ଥିତ ରହିବା ଯୋଗୁଁ ଏହି ବଟିକା ଖାଇ ପାରିନଥିବେ ସେମାନେ ଅଗଷ୍ଟ ୧୬ ତାରିଖରେ ଏହି ବଟିକା ଖାଇବେ ।

ଏହି ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଫାଇଲେରିଆ ବ୍ୟାପକତା ଥିବାରୁ ୫ଗୋଟି ଜିଲ୍ଲାମାନଙ୍କରେ ( ଯଥା: ବାଲେଶ୍ୱର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ନୂଆପଡା) ୨ବର୍ଷରୁ ଉର୍ଦ୍ଧ ସମସ୍ତ ଲୋକମାନଙ୍କୁ ଘରକୁ ଘର ବୁଲି ଫାଇଲେରିଆ ବଟିକା ସହିତ କୃମିନାଶକ ବଟିକା ଦିଆଯିବ ଓ ଜାତୀୟ କୃମିନାଶକ ଦିବସରେ ୧ବର୍ଷରୁ ୨ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଦିଆଯିବ ।

ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଅଗଷ୍ଟ ମାସରେ ୩୦ଟି ଜିଲ୍ଲାରେ ୯ମାସରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ଟୀକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଭିଟାମିନ୍ ‘କ’ ଦ୍ରବଣ ଖାଇବାକୁ ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ କହିଥିଲେ, ଏହି ଅଭିଯାନ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍ ସହଯୋଗରେ ପ୍ରସ୍ତୁତ ହୋଇଥିବା ପ୍ରଚାର ବାର୍ତା ଓଡିଆରେ ପ୍ରସ୍ତୁତ କରାଯାଇ ବିଭିନ୍ନ ଗଣମାଧ୍ୟମକୁ ପ୍ରସାରଣ ପାଇଁ ଦିଆଯାଇଛି ।

ଏହି ଜାତୀୟ କୃମିନାଶକ ଦିବସ ଏକ ବୃହତ ଜନସ୍ୱାସ୍ଥ୍ୟ ଅଭିଯାନ, ଯେଉଁଥିରେ ୧ବର୍ଷରୁ ୧୯ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ସରକାରୀ, ବେସରକାରୀ, ସରକାରୀ ସ୍ୱୀକୃତୀ ପ୍ରାପ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଖାଇବାକୁ ଦିଆଯିବ । ଶିକ୍ଷକ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ମାନଙ୍କୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଏହି ବଟିକା କିପରି ଖାଇବାକୁ ଦେବେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି ।

୧ ରୁ ୩ବର୍ଷ ବୟସ ପିଲାମାନଙ୍କୁ କୃମିନାଶକ ସିରପ୍ ଓ ୪ ରୁ ୫ବର୍ଷ ବୟସ ପିଲାମାନଙ୍କୁ କୃମିନାଶକ ବଟିକା ଗୁଣ୍ଡ କରି ସଫା ପାଣିରେ ମିଶାଇ ଅଙ୍ଗନବାଡି କେନ୍ଦ୍ରରେ ଖାଇବାକୁ ଦିଆଯିବ । ୬ରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ସେମାନେ ପଢୁଥିବା ବିଦ୍ୟାଳୟରେ ଶିକ୍ଷକମାନେ ଏହି ବଟିକା ଖାଇବାକୁ ଦେବେ । ବିଦ୍ୟାଳୟକୁ ଯାଉ ନଥିବା ୬ରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ଔଷଧ ଅଙ୍ଗନବାଡି କର୍ମୀ ଓ ଦମନ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଖାଇବାକୁ ଦିଆଯିବ । ଏଥିରେ ଆଶାକର୍ମୀ ସହାୟତା କରିବେ ।

Leave a comment