ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବାକୁ ଦାବି କଲା ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଗତକାଲିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି । ଏହାଦ୍ୱାରା ପଲିଟିକାଲ ପାର୍ଟି ପକ୍ଷରୁ କୌଣସି ବିଜ୍ଞାପନ ହୋଡିିଂ ଲଗାଯାଇ ନପାରିବା ନିୟମ ରହିଥିବା ବେଳେ କୌଣସି ଶାସକ ଦଳ ସରକାରୀ ଯୋଜନାଗୁଡ଼ିକର ବିଜ୍ଞାପନ ମଧ୍ୟ କରିପାରିବେ ନାହିଁ । ଏପରିକି ଏଥର ସୋସିଆଲ ମିଡିଆ ଉପରେ ମଧ୍ୟ ଆଚରଣ ବିଧି ଲାଗୁ ହୋଇଛି । ତେବେ ଶାସକ ବିଜେଡି ଦଳ ରାଜ୍ୟରେ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଆଜି ବିଜେପି ଅଭିଯୋଗ କରିଛି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ ଆଣିଛନ୍ତି, ସମସ୍ତ ଜିଲ୍ଲାରେ ଥିବା କଣ୍ଟ୍ରୋଲ ଡିଲରମାନେ ୪ଟି ଲେଖାଏଁ ଏଲ୍‌ଇଡି ବଲ୍‌ବ ବାଣ୍ଟିବା ସହ ଆଇନା ପୁସ୍ତକ ବଣ୍ଟନ କରୁଛନ୍ତି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଜ୍ଞାପନ ହୋର୍ଡିଂ ଲଗାଯାଇଛି । ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବେଳେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ୩୫ ଓ ୩୯ କୁ ଏହା ଉଲ୍ଲଂଘନ କରୁଛି ବୋଲି ସମୀର ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ପତ୍ରିକା ‘ଆଇନା’ ଅଙ୍ଗନଓ୍ବାଡି କର୍ମୀ ଓ ସରକାରୀ କର୍ମଚାରୀଙ୍କ ଦ୍ୱାରା ବଣ୍ଟାଯାଉଛି । ଏହା ଉପରେ ଲଗାମ ଲଗାଇବା ସହ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ବିଜେପି ଦାବି କରିଛି ।

Leave a comment