ଟିକେଟ କାଉଣ୍ଟରରେ ମହିଳା କର୍ମଚାରୀଙ୍କ ଦାଦାଗିରି, ନିର୍ଦ୍ଦେଶକ ବି ଭୟରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ଟିକେଟ କାଉଣ୍ଟରରେ ଭିଡ଼କୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଥିଲା । ସକାଳେ ଟିକେଟ କାଉଣ୍ଟର ଆଗରେ ଲାଗିଥିଲା ଲମ୍ବା ଲାଇନ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଥିଲେ । ମାତ୍ର ଟିକେଟ ଦେବା ଦାୟିତ୍ୱ ରେ ଥିବା ମହିଳା କର୍ମଚାରୀ ନିଜ କାମ ଛାଡି ଫୋନରେ ଗପିବାରେ ବ୍ୟସ୍ତ ଥିଲେ । ଟିକେଟ ଲାଇନରେ ଥିବା ଲୋକମାନେ ଯେତେ ପ୍ରତିବାଦ କଲେ ମଧ୍ୟ ତାଙ୍କର କାହା କଥାକୁ ଖାତିର ନଥିଲା । ଏହି ସବୁ ଘଟଣାର ଫଟୋ ଜଣେ ସାମ୍ବାଦିକ ନିଜ ମୋବାଇଲରେ ଉଠାଇବା ସମୟରେ ମହିଳା କର୍ମଚାରୀ ଜଣକ ସେହି ବ୍ୟକ୍ତି ଠାରୁ ମୋବାଇଲକୁ ଛଡ଼େଇ ନେଇଥିଲେ । ଏହାକୁ ନେଇ ସେଠାରେ ଖୁବ ପାଟିତୁଣ୍ଡ ହୋଇଥିଲା । ଏହି ଝଗଡା ପରେ ପ୍ରକୃତ ଘଟଣା ସମ୍ନାକୁ ଆସିଛି, ଏହି ମହିଳା କର୍ମଚାରୀ ସବୁଦିନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରୁଥିବାର ଅଭିଯୋଗ ଆସୁଛି ବୋଲି ନିଜେ ହସ୍ପିଟାଲ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି ।

ସୂଚନା ଅନୁଯାୟୀ, ହସ୍ପିଟାଲର ଡାକ୍ତରଙ୍କ ଚାମ୍ବରରେ ଯେତିକି ଭିଡ଼ ଦେଖିବାକୁ ମିଳୁନାହିଁ, ତାହାଠାରୁ ଅଧିକ ଭିଡ଼ ଟିକେଟ ରେଜିଷ୍ଟ୍ରେସନ କାଉଣ୍ଟରରେ ଦେଖିବାକୁ ମିଳୁଛି । ଟିକେଟ କାଉଣ୍ଟରରେ ରୋଗୀ ବା ତାଙ୍କ ସମ୍ପର୍କୀୟ ଘଣ୍ଟା ଘଣ୍ଟା ଲାଇନ କରି ଟିକେଟ ପାଇଁ ଛିଡା ହେବା ସହ ହନ୍ତସନ୍ତ ହେଉଛନ୍ତି । ହେଲେ କାଉଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀ ଅଭାବ ରହିଛି । ତାହାଠାରୁ ଆହୁରି ଦୁଃଖ ଦାୟକ ଘଟଣା ଯେଉଁ କର୍ମଚାରୀ ବି ସେଠାରେ ଡ୍ୟୁଟିରେ ଥାଆନ୍ତି, ସେମାନଙ୍କ ଦୁର୍ବ୍ୟହାର ଓ କଟ୍ଟୁତାପୂର୍ଣ୍ଣ କଥାବାର୍ତ୍ତା ରୋଗୀଙ୍କ ଶାରୀରିକ କଷ୍ଟଠାରୁ ଅଧିକମାତ୍ରାରେ ମାନସିକ ଆଘାତ ଦେଇଥାଏ । ପ୍ରତ୍ୟେକ ଦିନ କର୍ମଚାରୀଙ୍କ ଦାଦାଗିିରି ସମ୍ପର୍କରେ ଅଭିଯୋଗ ହସ୍ପିଟାଲ ନିର୍ଦ୍ଦେଶକଙ୍କ ପାଖରେ ପହଞ୍ଚିଛି । ହେଲେ ନିର୍ଦ୍ଦେଶକ କାହା ସ୍ୱାର୍ଥରେ ଚୁପ୍ ହୋଇବସିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଟିକେଟ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ୟୁନିସଫ୍ଟ ନାମକ ଏକ ସଂସ୍ଥା ସହ ଏମ୍ଓୟୁ ସ୍ୱାକ୍ଷର ହୋଇଥିଲା । ସଂସ୍ଥା ପ୍ରତ୍ୟେକ ଟିକେଟ ପିଚ୍ଛା ଏକ ନିଦ୍ଦିଷ୍ଟ ଟଙ୍କା ନେଉଛି । ସରକାର କାଗଜ ମାଗଣାରେ ଯୋଗାଇ ଦେଇଥିବା ବେଳେ ମାନବ ସମ୍ବଳ ଆଉ କମ୍ପ୍ୟୁଟର ଲଗାଇବା ଦାୟିତ୍ୱ ଥିଲା ୟୁନିସଫ୍ଟର । ତେବେ ୟୁନିସଫ୍ଟ କାଉଣ୍ଟର ସାମ୍ନାରେ ମହିଳା, ପୁରୁଷ, ଭିନ୍ନକ୍ଷମ ଓ ଷ୍ଟାଫଙ୍କ ଲାଗି ଅଲଗା ଅଲଗା କାଉଣ୍ଟର ଥିବା ଷ୍ଟିକର ଲାଗିଛି । ହେଲେ ନା କାଉଣ୍ଟର ଅନୁସାରେ କମ୍ପ୍ୟୁଟର ଅଛି ନା ମାନବ ସମ୍ବଳ । ଯେଉଁଥିପାଇଁ ରୋଗୀଙ୍କୁ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଛି । ସେହିପରି ଏହା ଭିତରେ ୟୁନିସଫ୍ଟର ଟେଣ୍ଡର ଅବଧି ମଧ୍ୟ ସରିଛି । ତେବେ ସଂସ୍ଥାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ବି କାମଚଳା ପାଇଁ ରଖିଛନ୍ତି । ହେଲେ ଖୁବ ଶୀଘ୍ର ହସ୍ପିଟାଲରେ ଟିକେଟ କାଉଣ୍ଟର ପରିଚାଳନା ଦାୟିତ୍ୱ ସିଡାକ୍ ନେବ । ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି । ଆସନ୍ତା ଏକ ମାସରେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

Leave a comment