ପୁରୀ ଶାନ୍ତି କମିଟି ବୈଠକ ସଫଳ,ପୁରୀ ବାସିନ୍ଧା ନିଜର ପରିଚୟ ପତ୍ର ଦେଖାଇ ପ୍ରବେଶ କରିବେ ଶ୍ରୀମନ୍ଦିରକୁ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲାପାଳଙ୍କ ଦ୍ୱାର ଡକାଯାଇଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି । ସମସ୍ତ ପୁରୀ ବାସିନ୍ଧା ନିଜର ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଭିତରକୁ ଯାଇ ଆସି ପାରିବେ ।

ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଆମ ରାଜ୍ୟ ର ଠାକୁର ନୁହନ୍ତି ସେ ସମଗ୍ର ଦେଶ ଏବଂ ବିଦେଶରେ ଥିବା ଭକ୍ତଙ୍କ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେଥିପାଇଁ ତ କେବଳ ଭାରତ କାହିଁକି ଭାରତ ବାହାରୁ ମଧ୍ୟ ଅନେକ ଲୋକ ତାଙ୍କ ଭକ୍ତିରେ ଟାଣି ହୋଇ ପୁରୀ ଚାଲି ଆସନ୍ତି । ମାତ୍ର ଆଜି କିନ୍ତୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି । ଧାଡ଼ିଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନାର ପୁରୀ ବନ୍ଦ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

ଆନ୍ଦୋଳନାରୀମାନେ ବଡ଼ଦାଣ୍ଡରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେମାନେ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପଥର ମାଡ଼ରେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସିଂହଦ୍ୱାର ସାମ୍ନାରୁ ମାର୍କେଟ ଛକ ଯାଏ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଥିଲା ।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଆନ୍ଦୋଳନକାରୀମାନେ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ସହ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି । ସେମାନେ ବଡ଼ଦାଣ୍ଡ ଓ ସିଂହଦ୍ୱାର ଆଗରେ ଧାଡି ଦର୍ଶନ ପାଇଁ କରାଯାଇଥିବା ବାରିକେଡ୍ ଭାଙ୍ଗିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

‘ବନ୍ଦ’କୁ ଦୃଷ୍ଟିରେ ରଖି ସହରର ସମସ୍ତ ଦୋକାନ ବଜାର ସହ ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ଆନ୍ଦୋଳନ ଯୋଗୁ ମନ୍ଦିରରେ ସାଧାରଣ ଦର୍ଶନ ପ୍ରଭାବିତ ହୋଇଥିଲା । ଅପରପକ୍ଷରେ ପୁରୀ ବନ୍ଦ ଡାକରା ଦେଇଥିବା ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଘରୁ ଉଠାଇ ନେଇଥିଲା ପୋଲିସ ।

Leave a comment