ଜନଜାତି ବହୁଳ ଜିଲ୍ଲାରେ ୩ହାଜାର ପୂଜାସ୍ଥଳୀ, ୪ଶହ ସଂସ୍କୃତି କ୍ଲବ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟଠାରେ ଭିଡ଼ିଓ କନ୍ଫରନ୍ସିଂ ଜରିଆରେ ୯ଟି ଜନଜାତି ବହୁଳ ଜିଲ୍ଲାର ସ୍ବତନ୍ତ୍ର ବିକାଶ ପରିଷଦ ଅଞ୍ଚଳରେ ୩ ହଜାର ପୂଜାସ୍ଥଳୀ ଉଦ୍ଘାଟନ କରିଛନ୍ତି । ଏଥିସହ ୪ଶହ ଜନଜାତି ସଂସ୍କୃତି କ୍ଲବ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ୯ଟି ପରିଷଦର ଜନଜାତି ବର୍ଗର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜନଜାତି କଳା ଓ ସଂସ୍କୃତି ଆମର ଗୌରବ । ଏହାର ସୁରକ୍ଷା ଓ ବିକାଶ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ୯ଟି ଜିଲ୍ଲାରେ ଗଠିତ ସ୍ବତନ୍ତ୍ର ବିକାଶ ପରିଷଦଗୁଡିକ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ବହୁତ ଭଲ କାମ କରୁଛନ୍ତି । ଜନଜାତି ସଂସ୍କୃତିକ ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ଓ ଜନଜାତି ଐତିହ୍ୟର ସୁରକ୍ଷା ପାଇଁ ଗତ ୧୦ ମାସ ମଧ୍ୟରେ ବହୁତ ଭଲ କାମ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।