ଛତିଶଗଡ଼ ନିର୍ବାଚନ ବେଳେ ନକ୍ସଲଙ୍କ ସହ ହାତ ମିଳାଇଥିଲା କଂଗ୍ରେସ: ଜେଟ୍‌ଲୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ମାଓବାଦୀଙ୍କ ସହ ହାତ ମିଳାଇଥିଲା କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାଓବାଦୀ ଗ୍ୟାଙ୍ଗ ‘ତୁକଡେ ତୁକଡେ’ ସହ କାନ୍ଧକୁ କାନ୍ଧ ମିଳାଇଥିଲେ । ଏଭଳି ବିବାଦୀୟ ଟୁଇଟ୍‌ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ଜେଟ୍‌ଲୀଙ୍କ ଏହି ଟୁଇଟ୍‌କୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି । ଛତିଶଗଡ଼ରେ ନକ୍ସଲମାନଙ୍କୁ କଂଗ୍ରେସ ସମର୍ଥନ କରି ନିର୍ବାଚନ ବୈତରଣୀ ପାର ହୋଇଥିବା ଅଭିଯୋଗ କରିଛନ୍ତି ଜେଟ୍‌ଲୀ । ଏଥିସହ କଂଗ୍ରେସ ନକ୍ସଲଙ୍କ ସହ ମେଣ୍ଟ କରିଥିଲା ବୋଲି ଜେଟ୍‌ଲୀ କହିଛନ୍ତି । ଯାହାକୁ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ଆକବର କହିଛନ୍ତି, କୌଣସି ପ୍ରମାଣ ନଥାଇ ରାଷ୍ଟ୍ରୀୟସ୍ତରର ଜଣେ ନେତା ଏଭଳି ମତ ଦେବା ଆଦୌ ଉଚିତ୍‌ ନୁହେଁ । ବିନା ତଥ୍ୟରେ କାହା ନାଁରେ ମିଥ୍ୟା ଅଭିଯୋଗ ଆଣିବା ଭୁଲ ବୋଲି ଆକବର କହିଛନ୍ତି । ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଭାଜପାକୁ ଟାର୍ଗେଟ୍‌ କରି ଏକ ଟୁଇଟ୍‌ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ନକ୍ସଲଙ୍କ ସହ ଆମର କେବେବି ଭଲ ସମ୍ପର୍କ ନଥିଲା । ଭାଜପାର ନକ୍ସଲଙ୍କ ସହ ଭଲ ସମ୍ପର୍କ ରହିଛି, ତେଣୁ ସେ ଏଭଳି ମତ ଦେଇଛନ୍ତି ବୋଲି ଭୁପେଶ କହିଛନ୍ତି ।

Leave a comment