ବିଜେପି ପ୍ରତିଶ୍ରୃତି ସମାବେଶକୁ ପ୍ରତାରଣା ସମାବେଶ କହିଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବିଜେପିର ପ୍ରତିଶ୍ରୃତି ସମାବେଶକୁ ପ୍ରତାରଣା ସମାବେଶ ଭାବରେ ଚିତ୍ରଣ କରିଛି ବିଜେଡି । ଆଜି ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭ୍ୟାସଗତ ମିଛୁଆ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।
ବିଜେଡିର ଅଭିଯୋଗ ମୁତାବକ, ବିଜେପି ୨୦୧୪ରେ ଦେଇଥିବା ପ୍ରତିଶୃତି ତ ଏପର୍ଯ୍ୟନ୍ତ ରକ୍ଷାକଲାନାହିଁ, ପୁଣି ନୂତନ ପ୍ରତିଶୃତି କାହିଁକି ? ପ୍ରଥମେ ବିଜେପି ଦେଇଥିବା ପ୍ରତିଶୃତି କେବେ ପାଳନ କରିବ ବୋଲି ପଚାରିବା ସହ ଧର୍ମେନ୍ଦ୍ରଙ୍କୁ ବିଜେଡି ଦଳ ତରଫ ରୁ ୩ଟି ପ୍ରଶ୍ନ କରାଯାଇଛି ।
ସେହିପରି ସଞ୍ଜୟ ଦାସବର୍ମା ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ରାଉରକେଲାର ସୁପର ସ୍ପେଶାଲିଟି ହସ୍ପିଟାଲ, ବ୍ରାହ୍ମଣୀ ନଦୀ ଉପରେ ହେବାକୁ ଥିବା ଦ୍ୱିତୀୟ ସେତୁ ଓ ସବୁଠାରୁ ମୁଖ୍ୟ ପ୍ରସଙ୍ଗ ସ୍ୱତନ୍ତ୍ର ରାଜ୍ୟପାହ୍ୟା , କୃଷି ଓ ନିଯୁକ୍ତି କ୍ଷେତ୍ରରେ ଦେଇଥିବା ପ୍ରତିଶ୍ରୃତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟର ବାରମ୍ବାର ଦାବି ସତ୍ତ୍ୱେ ଶିଳ୍ପ କରିଡରରେ ଓଡିଶାକୁ କାହିଁକି ସଂଯୁକ୍ତ କରାଯାଇନି ବୋଲି ସଞ୍ଜୟ ପଚାରିଛନ୍ତି ।
କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶାକୁ ଅଣଦେଖା କରିଆସୁଛି । ନିର୍ବାଚନ ପାଖେଇ ଆସିବାରୁ କେନ୍ଦ୍ର ଓ ରାଜ୍ୟରେ ବିଜେପି ନେତାମାନେ ପୁନର୍ବାର ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । କେବଳ ଭୋଟ ହାତେଇବା ପାଇଁ ବିଜେପି ଏହିପରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ।