ବାଣୀବିହାର ଛାତ୍ରଙ୍କ ଦାଦାଗିରି ଚରମ ସୀମାରେ, ପୋଲିସ ନିରବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଣୀବିହାର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଗୁଣ୍ଡାଗିରି ଚରମ ସୀମାରେ । ଦୈନିକ ପ୍ରମୟ ଖବରକାଗଜର ସାମ୍ବାଦିକଙ୍କୁ ମାଡ ମାରି କଲେ ଲହୁଲୁହାଣ । ସାମ୍ବାଦିକ ବୋଲି ଜାଣି ମଧ୍ୟ ଲୁଟିନେଲେ ସୁନା ଚେନ ଓ ଫୋଫାଡ଼ି ଦେଲେ ଆଇ କାର୍ଡ । ଥାନାରେ ରେ ଅଭିଯୋଗ କଲେ ଘରେ ପଶି ହାଣିବୁ ବୋଲି ଦେଲେ ଧମକ । ଅଭିଯୋଗ ହେବାର ଅନେକ ସମୟ ବିତିଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆଳରେ ହାତବାନ୍ଧି ବସିଛି ପୋଲିସ । ଅଭିଯୁକ୍ତ ବିଜେଡ଼ି ଦଳର ହୋଇଥିବାରୁ ହାତମାରିବାକୁ ଡ଼ରୁଛି ପୋଲିସ । ସାଧାରଣ ଅଭିଯୁକ୍ତଙ୍କୁ ରାତି ଅଧରେ ଉଠାଇ ନେଇ ତତ୍ପରତା ଦେଖୁଥିବା କମିଶନରେଟ ପୋଲିସ ଆଜି ପଙ୍ଗୁ କାହିଁକି ?

ସୂଚନା ଅନୁଯାୟୀ, ଦୈନିକ ଖବରକାଗଜ ପ୍ରମୟର କପିଳେନ୍ଦ୍ର ପ୍ରଧାନ ନାମକ ଜଣେ ସାମ୍ବାଦିକ ମହାରାଜା ହଲକୁ ଜଣେ ସାଙ୍ଗ ସହ ଫିଲ୍ମ ଦେଖିବାକୁ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଅସାମାଜିକ ଯୁବକ ହୋହଲ୍ଲା କରିବା ସହ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ ପାସ କରୁଥିଲେ । ଏହାକୁ ଦେଖି କପିଳେନ୍ଦ୍ର ଯୁବକ ମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ । ଏହାପରେ ସେମାନେ କପିଳେନ୍ଦ୍ରଙ୍କୁ ସିଟରୁ ଟାଣି ତଳେ ପକାଇ ଗୋଇଠା ମାରିଥିଲେ । ସେ ସାମ୍ବାଦିକ ବୋଲି ପରିଚୟ ଦେବାପରେ ମଧ୍ୟ ସେମାନେ ତାଙ୍କୁ ମାଡ ମାରି ଚାଲିଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ କପିଳେନ୍ଦ୍ରଙ୍କ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲା, ଅନ୍ୟଜଣେ ତାଙ୍କ ତଣ୍ଟି ଉପରେ ଚଢ଼ି ସୁନାଚେନ ଲୁଟି ନେବାସହ ତାଙ୍କ ଆଇ କାର୍ଡକୁ ଫୋଫାଡ଼ି ଦେଇଥିଲା । କେବଳ ଏତିକିରେ ସାରିନଥିଲା ତାଙ୍କ ଦୌରାତ୍ମ୍ୟ । ସେମାନେ ଆହୁରି ମାଡ଼ ଧମକ ଦେଇ କହିଥିଲେ ଥାନାରେ ଯାଇ ଅଭିଯୋଗ କଲେ ଘରେ ପଶି ହତ୍ୟା କରିବୁ । ଆକ୍ରମଣକାରୀ ଯୁବକମାନଙ୍କ ମଧ୍ୟରୁ ଜଣେ ବାଣୀବିହାର ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ସୌମ୍ୟରଞ୍ଜନ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟମାନେ ହେଲେ ଚିଣ୍ଟୁ, ଅମୀୟ ପଟ୍ଟନାୟକ ଓ ସେମାନଙ୍କ କିଛି ସହଯୋଗୀ । ସହିଦନଗର ଥାନାରେ କପିଳେନ୍ଦ୍ର ଏନେଇ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ସାମ୍ବାଦିକମନେ ଡିସିପିଙ୍କୁ ଘଟଣା ସମ୍ୱନ୍ଧରେ ଅବଗତ କରାଇବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପ୍ରତିଶୃତି ଦେଇଛନ୍ତି ।

ଅପରପକ୍ଷରେ ଏହି ଘଟଣାକୁ ସାମ୍ବାଦିକ ସଂଘ ତରଫରୁ ନିନ୍ଦା କରାଯାଉଛି । ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ପ୍ରଧାନ ଏହାକୁ ଘୋର ନିନ୍ଦା କରିବାସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ।

Leave a comment