ନିର୍ବାଚନ ଲଢ଼େଇର ଶିକାର ହେଲା ବେଗୁନିଆ ଥାନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ଥିବା ସାଧାରଣ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଗଲାଣି । ରାଜନୈତିକ ଦଳ ନିର୍ବାଚନ ଦୌଡ଼ରେ ଆଗକୁ ଯିବାକୁ ଗୋଡ ଟଣାଟଣୀରେ ବ୍ୟସ୍ତ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଗୁନିଆରେ । ଏଠାରେ ଶାସକ ଦଳ ବିଭାଜିତ ହେଲା ପରି ମନେହେଉଛି । ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ବିରୋଧୀ ଗୋଷ୍ଠି ଗତକାଲି ବିଧାୟକଙ୍କ ଗିରଫ ଦାବିରେ ଥାନାରେ ପଶି ଟେବୁଲ, ଚେୟାର ଭାଙ୍ଗିବା ସହ ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ୪ ଘଣ୍ଟା ଅବରୋଧ କରିଥିଲେ, ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ଏଘଟଣାରେ ୬ ଜଣଙ୍କୁ ଗିରଫ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁଯାୟୀ, ବେଗୁନିଆ ସରପଞ୍ଚ କୁମୁଦିନୀ ସ୍ୱାଇଁଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁଙ୍କୁ ବିଧାୟକଙ୍କ ଦୁର୍ବବ୍ୟବହାର ଓ ମାରଧର ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅଧିନରେ ବେଗୁନିଆରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କାମର ବିଲ୍ ପାସ୍ କୁ କେନ୍ଦ୍ର କରି ବିଧାୟକ ଓ ନବକିଶୋରଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ନିର୍ମାଣ ପାଇଁ ସରପଞ୍ଚଙ୍କୁ ପଚରାଯାଇ ନଥିବା ନବକିଶୋର କହିଥିଲେ । ଏହି କଲ୍ୟାଣମଣ୍ଡପର ପାଚେରୀକୁ ଭାଙ୍ଗିବାକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ନବକିଶୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଥାନା ଅଧିକାରୀ କାହିଁକି ବିଧାୟକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ ବୋଲି ଗତକାଲି ନବକିଶୋର ଓ ତାଙ୍କର ୨୦୦୦ରୁ ଉର୍ଦ୍ଧ ସମର୍ଥକ ବେଗୁନିଆ ଥାନା ଉପରେ ଆକ୍ରମଣ କରି ଲଙ୍କାକାଣ୍ଡ ଭିଆଇଥିଲେ । ଗତ ୧୭ ତାରିଖରେ ବେଗୁନିଆ ବ୍ଲକ୍ର କିଛି ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଭାବେ ବିଧାୟକଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ ଯଦି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଥାନା ଘେରାଉ କରାଯିବ ।

ମାତ୍ର ବେଗୁନିଆ ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ କି ତାଙ୍କ ବିରୁଦ୍ଧରେ ବିରୋଧୀ ଗୋଷ୍ଠିର ଏହା ଷଡ଼ଯନ୍ତ୍ର କାହିଁକିନା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ତାଙ୍କ ପୁଅକୁ ବେଗୁନିଆରୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ସେହିପରି ୨୦୧୪ ନିର୍ବାଚନ ରେ ପ୍ରଦୀପ ସାହୁ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ । ଆମ ଓଡ଼ିଶା ପାର୍ଟିର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡ଼ି ରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହେବାପରେ ପ୍ରଦୀପ ସାହୁ ମଧ୍ୟ ବିଜେଡି ସମର୍ଥକ ହୋଇଯାଇଛନ୍ତି । ସେମଧ୍ୟ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଆଶା ବାନ୍ଧି ବସିଛନ୍ତି । ତେଣୁ ଉଭୟ ବିରୋଧୀ ଏକତ୍ରିତ ହୋଇ ନିଜେ କିପରି ବେଗୁନିଆରୁ ପ୍ରାର୍ଥୀ ହେବେ ବୋଲି ଏଭଳି କାଣ୍ଡ ଭିଆଇଛନ୍ତି ।
ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ବିରୋଧୀଙ୍କ ଥାନାରେ ପଶି ଭିଆଇଥିବା ଲଙ୍କାକାଣ୍ଡକୁ ସାଧାରଣରେ ନିନ୍ଦା କରାଯିବା ସହ ଏହା ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବକିରହିଲା ବୋଲି ଚର୍ଚ୍ଚା ହେଉଛି ।

Leave a comment

You cannot copy content of this page