ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଇକ ସଂଗ୍ରାମର ସ୍ମାରକୀ ନିର୍ମାଣ ପାଇଁ ୫୦ ଏକର ଜାଗା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭାଜପା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୧୮୧୭ ରୁ ୧୮୨୫ ପର୍ଯ୍ୟନ୍ତ ଇଂରେଜ ବିରୋଧରେ ହୋଇଥିବା ପାଇକ ବିଦ୍ରୋହ ଇତିହାସର ଏକ ସ୍ବର୍ଣ୍ଣିମ ଅଧ୍ୟାୟ ହୋଇ ରହିବ । ଓଡିଶାର ବହୁ ବର୍ଷର ଦାବି ପରେ ୨୦୧୭ରେ କେନ୍ଦ୍ର ସରକାର ଏ ମହାନ୍‌ ବିପ୍ଲବକୁ ଜାତୀୟ ସ୍ବୀକୃତି ଦେଇ ଏହାର ଦୁଇଶହ ବର୍ଷପୂର୍ତ୍ତି ପାଳନ ପାଇଁ ନିଷ୍ପତ୍ତି ନେଲେ । ଏଥିପାଇଁ କେନ୍ଦ୍ର ବଜେଟ୍‌ରେ ବ୍ୟବସ୍ଥା ମଧ୍ୟ କରାଯାଇଛି ।  ଏହି ମହାନ୍‌ ସଂଗ୍ରାମର ଏକ ସ୍ମାରକୀ ନିର୍ମାଣ ପାଇଁ ଖୋର୍ଦ୍ଧା ବରୁଣେଇ ପାହାଡଠାରେ ୫୦ଏକର ଜମି ଦେବାକୁ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଏବଂ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଆପଣଙ୍କୁ ଅନୁରୋଧ କରିଥିଲେ । ଏଥିପାଇଁ ମହେଶ ଶର୍ମା ସଂସ୍କୃତି ମନ୍ତ୍ରଣାଳୟରୁ ୮୦ କୋଟି ଟଙ୍କା ଏବଂ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡିଆନ ଅଏଲ ଫାଉଣ୍ଡେଶନ ଟ୍ରଷ୍ଟରୁ ୯୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦ ଅଧ୍ୟକ୍ଷଭାବେ ମୁଁ ପୂର୍ବରୁ ଚିଠି ଲେଖି ଅନୁରୋଧ କରିଥିଲି । ଗତ ମାସରେ ଆଇଆଇଟି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଆପଣ ଜମି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପ୍ରତିଶ୍ରୁତି ଦେବାର ୨୦ଦିନ ପରେ ମଧ୍ୟ ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆ ନ ଯିବା ଦୁର୍ଭାଗ୍ୟଜନକ । ଦେଶ ବିଦେଶର ପର୍ଯ୍ୟଟକମାନେ ପାଇକ ବିଦ୍ରୋହର ମହାନ୍‌ ସ୍ମାରକୀ ଦେଖି ଓଡିଆ ଜାତିର ଏ ମୁକ୍ତି ସଂଗ୍ରାମ ବିଷୟରେ ଅବଗତ ହେବାସହ ସମ୍ମାନ ଜଣାଇବେ । ତୁରନ୍ତ ଜମି ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ବିଶ୍ୱଭୂଷଣ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a comment