କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇପିସି ଧାରା ୩୭୭ ଅନୁଯାୟୀ ‘ସମଲିଙ୍ଗୀ ସମ୍ପର୍କ’ ଅପରାଧ ମୁକ୍ତ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି । ଏହି ରାୟକୁ ଆଧାର କରି କେନ୍ଦ୍ରାପଡ଼ା ଜିଲ୍ଲାର ୨ ଯୁବତୀ ଶନିବାର ସମଲିଙ୍ଗୀ ବିବାହରେ ବାନ୍ଧି ହୋଇଛନ୍ତି । ପରସ୍ପରକୁ ଭଲ ପାଉଥିବା ଏହି ୨ ଯୁବତୀ ନୋଟାରୀ ଆଶୁତୋଷ ମହାନ୍ତିଙ୍କ ଇଜଲାସରେ ସତ୍ୟପାଠ କରି ବିବାହ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହାକାଳପଡା ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଟ୍ଟାମୁଣ୍ଡାଇ ବ୍ଲକର । ଉଭୟ ଯୁବତୀ କଟକରେ ଏକାଠି ରହି ପାଠ ପଢ଼ୁଥିଲେ । ଏବେ କଟକର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଗୋଟିଏ ବସାରେ ରହୁଥିବା ବେଳେ ସେମାନେ ପରସ୍ପରକୁ ଭଲପାଇ ବସିଥିଲେ । ଉଭୟ ପରିବାର ଲୋକେ ସେମାନଙ୍କୁ ଅନ୍ୟତ୍ର ବାହାଘର ପାଇଁ ବାଧ୍ୟ କରିଥିଲେ ହେଁ ସେମାନେ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ । ଗତ କିଛି ଦିନ ତଳେ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟବର ସୁପ୍ରିମକୋର୍ଟ ଅପରାଧମୁକ୍ତ ବୋଲି ରାୟ ପ୍ରକାଶ କରିବା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଶନିବାର ପୂର୍ବାହ୍ନରେ ଉଭୟେ ନୋଟାରୀରେ ସତ୍ୟପାଠ କରି ବିବାହ କରିଥିଲେ । ଆଇନଜୀବୀ ଅରୁଣ ପ୍ରସାଦ ଦାସ ସତ୍ୟପାଠରେ ସହାୟତା କରିଥିଲେ । ଏ ସମ୍ପର୍କରେ ଆଇନଜୀବୀ ମହାନ୍ତି କୁହନ୍ତି, ଉଭୟ ଯୁବତୀ ସାବାଳିକା ହୋଇଥିବାରୁ ନିଜର ଭବିଷ୍ୟତ ପାଇଁ ନିଷ୍ପତ୍ତି ନେବାର ଅଧିକାର ସେମାନଙ୍କ ରହିଛି । ତେଣୁ ଉଭୟ ବିବାହ କରିଛନ୍ତି ।

Leave a comment