ଇନାମି ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହିଳା ମାଓବାଦୀ ଦେବେ ମାଢି ଓରଫ ଶାନ୍ତି ସୋମବାର ମାଲକାନଗିରି ଏସ୍ପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ଘର କାଲିମେଳା ବ୍ଲକ ଚିନ୍ତଲବାଡା ପଞ୍ଚାୟତ ଅନ୍ତର୍ଗତ କସୁଲକୋଣ୍ଡା ଗ୍ରାମରେ । ଏ ସମ୍ପର୍କରେ ଏସ୍.ପି କହିଛନ୍ତି, ଶାନ୍ତି ୨୦୧୨ରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ । ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲର କାଲିମେଳା ଦଳରେ ସେ ମାଓବାଦୀ ସଙ୍ଗଠନର ଏରିଆ କମାଣ୍ଡର ମେମ୍ବର ଭାବେ କାର୍ଯ୍ୟ କରୁଥିଲେ । ସେ କୁରୁବ୍ ଗ୍ରାମର ପେଣ୍ଟା ମାଡି ହତ୍ୟା, ପିତାକୋଣ୍ଡାର ଭୀମା କବାସୀ ହତ୍ୟା, ପୋଟେରୁ ବସ୍ତି ହତ୍ୟା ମାମଲା, ଦାମନଯୋଡି ମାଇନ୍ସ ଆକ୍ରମଣ, ଅଣ୍ଡ୍ରାପାଲି ଗାଁ ମୁଖିଆ ହତ୍ୟା, ଗୋବରପଡା ଓ ରାମାଗୁଡାରେ ପୋଲିସ ସହ ଗୁଳି ବିନିମୟ ଭଳି ବହୁ ହିଂସା ଘଟଣାରେ ସମ୍ପୃକ୍ତ ଥିଲେ । ତାଙ୍କ ନାମରେ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ମାଓବାଦୀ ସଙ୍ଗଠନରେ ପୂର୍ବ ଭଳି ଆଦର୍ଶ ନ ଥିବା ଏବଂ ଏହାର ନେତା ସୁଧୀରଙ୍କ ନିର୍ଯ୍ୟାତନା ସହି ନ ପାରି ସେ ସଙ୍ଗଠନ ଛାଡିଥିବା ଶାନ୍ତି କହିଛନ୍ତି ।