କ୍ୟାମେରା ମ୍ୟାନରୁ, ଗୋଲ୍ଡେନ ବାବା ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଲ୍ଡେନ ବାବା ଓରଫ ଜ୍ୟାୋତି ରଂଜନ ବେଉରାଙ୍କୁ ଆଜି ଦିନିକିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ସେ କିପରି ଏକ ସାଧାରଣ କ୍ୟାମେରା ମ୍ୟାନରୁ ଏତେ ସୁନା,ରାଜକୀୟ ପ୍ରାସାଦର ଅଧିକାରୀ ହୋଇପାରିଲେ ଓ ରାଜନେତାଙ୍କ ସହ ତାଙ୍କ ସମ୍ପର୍କ ସମ୍ୱନ୍ଧରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ପୋଲିସ । ଏହାସହ ତାଙ୍କ ଘରେ ଥିବା ସୁଡଙ୍ଗର ରହସ୍ୟ ଓ କେଉଁ କେଉଁ ନେତା ଗୋଲ୍ଡେନ ବାବାଙ୍କୁ ଶାସକ ଦଳର ସାମିଲ କରିବାକୁ କରୁଥିଲେ ସୁପାରିଶ ଏହିପରି ଅନେକ ଦିଗରୁ କ୍ରାଇମବ୍ରାଞ୍ଚ କରିବ ତଦନ୍ତ । ଭୁବନେଶ୍ବର ଏସଡିଜେଏମ କୋର୍ଟରେ ୨ ଦିନିଆ ରିମାଣ୍ଡ ଆବେଦନ କରିବା ପରେ କ୍ରାଇମବ୍ରାଞ୍ଚକୁ ଦିନିକିଆ ରିମାଣ୍ଡ ମଞ୍ଜୁର କରିଥିଲେ ମାନ୍ୟବର କୋର୍ଟ ।

ସୂଚନା ଅନୁଯାୟୀ, କିଛିବର୍ଷ ପୂର୍ବେ ବିଭିନ୍ନ ଓଡ଼ିଆ ସିରିଆଲରେ କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ଜ୍ୟାୋତି ରଂଜନ । କିଛିଦିନର ବ୍ୟବଧାନ ପରେ ସେ ସୁନାରେ ଛାଇ ହୋଇଥିବା ଅବସ୍ଥାରେ ଆସିଲେ ଲୋକଙ୍କୁ ନଜର । ତାଙ୍କର ସୁନାରେ ଛାଇ ହୋଇଥବା ରୂପ ଯୋଗୁଁ ସେ ଗୋଲ୍ଡେନ ବାବା ନାଁ ରେ ପରିଚିତ ହୋଇଥିଲେ । ନେତା ହେବାର ଦୁର୍ବଳତା ଥିବାରୁ ଅନେକ ନେତାଙ୍କୁ ଆର୍ଥିକ ସହାୟତା କରିବା ସହ ସେମାନଙ୍କ ପଛରେ ଉଡାଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଏପରିକି ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀ ଓ କିଛି ଜଣାଶୁଣା ନେତା ତାଙ୍କୁ ଶାସକ ଦଳରେ କିଛି ପଦବି ଦେବାପାଇଁ କରୁଥିଲେ ସୁପାରିଶ । ବିଭିନ୍ନ କାର୍ଯ୍ୟକ୍ରମରେ ଶାସକ ଦଳର ନେତାଙ୍କ ସହ ତାଙ୍କ ଫଟୋ ମଧ୍ଯ ଭାଇରଲ ହୋଇଥିଲା । ଚେକ ବାଉଁସ କେସରୁ ଚନ୍ଦ୍ରଶେଖରପୁର ପୋଲିସ ଗୋଲ୍ଡେନ ବାବାଙ୍କୁ ଗିରଫ କରିବାକୁ ଯେତେବେଳେ ତାଙ୍କ ଘରକୁ ଯାଇଥିଲା ତାଙ୍କ ଘର ଦେଖି ପୋଲିସର ହୋସ ଉଡିଯାଇଥିଲା । ରାଜପ୍ରାସାଦ ସଦୃଶ୍ୟ ଘର ବିଭିନ୍ନ ମୂଲ୍ୟବାନ ସାମଗ୍ରୀରେ ପରିପୂର୍ଣ୍ଣ ଥିଲା । ଏହିଘରେ ପ୍ରାୟ ସମସ୍ତ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଏକ ସିକ୍ରେଟ ଚାମ୍ବର ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଚାମ୍ବରରେ ଏକ ସୁଡଙ୍ଗ ଥିବା ଅନୁସନ୍ଧାନ ସମୟରେ ପୋଲିସ ଜାଣିପାରିଛି । ଗୋଲ୍ଡେନ ବାବା ଗିରଫ ହେବାପରେ ତାଙ୍କର ସମସ୍ତ ସୁନା ଗାୟବ ହୋଇଯାଇଛି । ଯାହାକି ବାବାଙ୍କ ସହଯୋଗୀ ଏହି ସୁଡଙ୍ଗ ଦେଇ ବାହାରକୁ ନେଇଯାଇଥିବା ଓ ଅନୈତିକ ଉପାୟରେ ସେ ଏହି କୋଟି କୋଟି ଟଙ୍କା ଓ ସୁନା ଉପାର୍ଜନ କରିଥିବା ଜଣାପଡ଼ିଛି । ଏହିସବୁକୁ ଓ ନେତାଙ୍କ ସହ ଗୋଲ୍ଡେନ ବାବାଙ୍କ ସମ୍ପର୍କ ସମ୍ୱନ୍ଧରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।

Leave a comment