ଶ୍ରୀମନ୍ଦିର ଭିତରେ ସେଲ୍ଫି ନେବା ବେଳେ ଧରା ପଡ଼ିଲେ ସୁରକ୍ଷାକର୍ମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନ ନେବା ନେଇ କଟକଣା ଜାରି କରାଯାଇଛି । କିନ୍ତୁ ଅନେକ ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଘଟଣା ନଜରକୁ ଆସେ । ନୂଆବର୍ଷରେ ଜଗନ୍ନାଥ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମାତ୍ର ସୁରକ୍ଷା ଦାୟିତ୍ବରେ ଥିବା ୪ ଜଣ ଆଇ.ଆର.ବି ଯବାନ ଶ୍ରୀମନ୍ଦିର ଭିତରେ ସେଲ୍ଫି ନେବା ବେଳେ ଧରାପଡ଼ିଛନ୍ତି । ଫଳରେ ସେମାନଙ୍କଠାରୁ ୧ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି । ଏହି ୪ ଯବାନ ଶ୍ରୀମନ୍ଦିରରେ ଡ୍ୟୁଟି କରୁଥିଲେ । ଡ୍ୟୁଟି ସରିବା ପରେ ଏମାନେ ସେଲ୍ଫି ନେଉଥିଲେ । ଏହି ସମୟରେ ଜେ.ଟି.ପିଙ୍କ ହାତରେ ଧରାପଡିଥିଲେ । ସୁରକ୍ଷା କର୍ମୀଙ୍କ ଏଭଳି କାର୍ଯ୍ୟ ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ଦିର ଭିତର ଫଟୋ ପୂର୍ବରୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଟକଣା ଲାଗୁ କରାଯାଇଛି । ଯେଉଁମାନେ ଭିତରକୁ ମୋବାଇଲ ଫୋନ ନେଇ ଧରାପଡ଼ିବେ ସେମାନଙ୍କଠାରୁ ୧ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ନିୟମ ହୋଇଛି ।