ଅନ୍ଧ ବିଶ୍ୱାସ : ପିଶାଚୀ ଭୟରେ ଗର୍ଭବତୀଙ୍କ ଶବ ସତ୍କାର କଲେନି ପରିବାର ଲୋକେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୋଗ ଭଲ ହେବା ପାଇଁ ଶିଶୁକୁ ଚେଙ୍କ ଦେବା, ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କରିବା, ପରିବାରକୁ ଗାଁରୁ ବାସନ୍ଦ କରିବା ଭଳି ଘଟଣା ଖବରକାଗଜର ପୃଷ୍ଠା ମଣ୍ଡନ କରେ । ତେବେ କେତେକ ସ୍ବେଚ୍ଛାସେବୀ ସଂଗଠନ ଓ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ପରେ ପଛୁଆ ଜିଲ୍ଲା ଗୁଡ଼ିକରେ ମଧ୍ୟ ଏସବୁ ଘଟଣା କ୍ୱଚିତ୍ ଘଟୁଛି । ହେଲେ ଚିରୁଗୁଣୀ ବା ପିଶାଚୀ ହେବା ଭୟରେ ଜଣେ ଗର୍ଭବତୀ ମହିଳାଙ୍କ ଶବ ସତ୍କାର ନ କରି ଶଢ଼ିବା ପାଇଁ କଦଳୀ ଗଛକୁ ଡେରି ଦେବା ଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟମୁଣ୍ଡାଇ ଅଞ୍ଚଳରେ । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ସତ୍କାର କରାଯାଇଥିବା ଜଣାପଡିଛି ।
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ଅଧୀନ ଭୋଇପଡ଼ା ଗ୍ରାମର ଭାସ୍କର ମଲ୍ଲିକଙ୍କ ସ୍ତ୍ରୀ ମମତା (୩୬)ମହିଳା ଗର୍ଭବତୀ ଥିଲେ । ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ମା’ ଓ ଛୁଆ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ । ପ୍ରସବ ପୂର୍ବରୁ କଟକ ବଡ଼ ମେଡିକାଲରେ ମମତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଶବ ଧରି ରାତି ପ୍ରାୟ ୧୧ଟା ବେଳେ ଗାଁକୁ ଫେରିବା ପରେ ଗ୍ରାମର କେତେଜଣ ବ୍ୟକ୍ତି ଗର୍ଭବତୀଙ୍କ ପେଟ କାଟି ମଲା ଛୁଆକୁ ବାହାର କରିଥିଲେ । ଏହାପରେ ମଲା ଛୁଆକୁ ଶବ ହାତରେ ଧରାଇ ପ୍ରାୟ ୩କିମି ଦୂର ରାମଚନ୍ଦ୍ରପୁର ବଡ଼ନାଳୀଠାରେ ଏକ କଦଳୀ ଗଛ ପୋତି ସେଠାରେ ଶବକୁ ଡେରି ଦେଇଆସିଥିଲେ । ଗାଁରେ ଅନ୍ଧ ବିଶ୍ୱାସ ରହିଛି ଯେ, ଗର୍ଭବତୀଙ୍କ ଶବକୁ ପୋଡିଲେ ସେମାନେ ଚିରୁଗୁଣୀ ଓ ପିଶାଚୀ ହୋଇ ଅନ୍ୟମାନଙ୍କ ପିଲାଙ୍କୁ ମାରିଦେଇଥାନ୍ତି । ତେଣୁ ଶବ ପଚିବା ପରେ ହିଁ ସତ୍କାର କରାଯାଏ ।
ତେବେ ରାମଚନ୍ଦ୍ରପୁର ଅଞ୍ଚଳବାସୀ ସକାଳୁ ପେଟ ଚିରା ମହିଳାଙ୍କ ଶବ ଡେରା ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଘଟଣା ଜାଣିବା ପରେ ସମ୍ପୃକ୍ତା ମହିଳାଙ୍କ ପରିବାର ଲୋକଙ୍କୁ ବୁଝାଇ ଶୁଝାଇ ଶବ ସତ୍କାର କରିଥିଲା ।