ଏସ୍ସିବିରେ ୟୁଜର୍ସ ଫି ଆତ୍ମସାତ୍: ସ୍ବତନ୍ତ୍ର ଅଡିଟ୍ ପାଇଁ ସୁପାରିସ
ଓଡିଶା ଫାଷ୍ଟ(ବ୍ୟୁରୋ): ଏସ୍ସିବି ମେଡିକାଲରେ ନିଯୁକ୍ତ ଏକ ଘରୋଇ ସଂସ୍ଥାର ଜାଲିଆତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଡିଟ କରାଯିବ । ମେଡିକାଲ ପ୍ରଶାସନ ପକ୍ଷରୁ ଏ ନେଇ ସ୍ବାସ୍ଥ୍ୟ ବିଭାଗକୁ ସୁପାରିସ କରାଯାଇଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଘରୋଇ ସଂସ୍ଥା ରୋଗୀଙ୍କଠାରୁ ଆଦାୟ କରିଥିବା ୟୁଜର୍ସ ଫିକୁ ଆତ୍ମସାତ୍ କରିଥିବା ନେଇ ପୂର୍ବରୁ ମେଡିକାଲ ପକ୍ଷରୁ କରାଯାଇଥିବା ଲୋକାଲ ଅଡିଟରୁ ପ୍ରମାଣ ମିଳିଥିଲା । ଏହାପରେ ମେଡିକାଲ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ନୋଟିସ ଦିଆଯାଇଥିଲା । ଫଳରେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ମେଡିକାଲ କୁ ୩ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ ଦିଆଯାଇଥିଲା । ମାତ୍ର ଘରୋଇ ସଂସ୍ଥା ଆତ୍ମସାତ୍ କରିଥିବା ଟଙ୍କାର ପରିମାଣ ଅଧିକ ହୋଇଥିବା ଆଶଙ୍କା କରି ମେଡିକାଲ ପ୍ରଶାସନ ସ୍ବାସ୍ଥ୍ୟ ବିଭାଗକୁ ସ୍ବତନ୍ତ୍ର ଅଡିଟ୍ ସୁପାରିସ କରିଛି । ଉକ୍ତ ଅଡିଟ ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।
ସମ୍ପୃକ୍ତ ଘରୋଇ ସଂସ୍ଥା ବଡ଼ ଅଭିନବ ଉପାୟରେ ରୋଗୀଙ୍କଠାରୁ ଆଦାୟ ୟୁଜର୍ସ ପାଣ୍ଠିକୁ ହରିଲୁଟ୍ କରିଛି । ଯଦି ଜଣେ ରୋଗୀ କୌଣସି ପରୀକ୍ଷା ପାଇଁ ୟୁଜର୍ସ ଫି ବାବଦକୁ ୧୫୦୦ ଟଙ୍କା ଡିପୋଜିଟ କରିଛନ୍ତି ତେବେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ୧୫୦୦ ଟଙ୍କାରୁ ମାତ୍ର ୧୫୦ ଟଙ୍କା ମେଡିକାଲ ଆକାଉଣ୍ଟରେ ଡିପୋଜିଟ କରାଯାଇଛି । ଏହି ଜାଲିଆତି ପଛରେ ମେଡିକାଲର ଜଣେ ପୂର୍ବତନ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।