ମହାରଥୀଙ୍କ ତୁଣ୍ଡ କୁ ଝାଡୁ, ଅଣ୍ଡା ରେ ସାବାଡ଼ କରିବ ମହିଳା କଂଗ୍ରେସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦାମଙ୍କ ପରେ ନିଜ ତୁଣ୍ଡ ପାଇଁ ସର୍ବଦା ବିବାଦରେ ରହୁଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ । ମହିଳା କଂଗ୍ରେସ ପକ୍ଷରୁ ପ୍ରଦୀପ ମହାରଥୀ ଙ୍କ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲାରେ ଦେଇଥିବା ବିବାଦୀୟ ମନ୍ତବ୍ୟ କୁ ନେଇ ଏହି ଆକ୍ରମଣ କରାଯାଇଛି ।

ସୂଚନା ଅନୁଯାୟୀ, ପ୍ରମାଣ ଅଭାବରୁ ପିପିଲି ଗଣଦୁଷ୍କର୍ମର ୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିବା ପରେ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହିଥିଲେ ମହାରଥୀ । ଆଉ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ମହିଳା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ମହରଥୀଙ୍କ ବିବାଦୀୟ ବୟାନ ନେଇ ଛାଞ୍ଚୁଣୀ ଧରି ଆନ୍ଦୋଳନ କରୁଥିଲା ମହିଳା କଂଗ୍ରେସ । ଆଉ ଏହି ସମୟରେ ମହାରଥୀଙ୍କୁ ଧସେଇ ପଶିବାକୁ ମହିଳା କଂଗ୍ରେସ କର୍ମୀ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାବାରୁ ପୋଲିସ ଓ ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ୩୦ ରୁ ଉର୍ଦ୍ଧ ମହିଳା କଂଗ୍ରେସ କର୍ମୀ ଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଅଣ୍ଡାମାଡ ପରେ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି, ବିବାଦୀୟ ମନ୍ତବ୍ୟ ପାଇଁ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ସହ ଇସ୍ତଫା ଦିଅନ୍ତୁ । ନଚେତ ଏବେ ଟମାଟୋ ଫିଙ୍ଗିଛୁ ଆଗକୁ ଆଉ କିଛି ଫୋପାଡାଯାଇ ପାରେ ବୋଲି କହିଛି ମହିଳା କଂଗ୍ରେସ ।

ସେହିପରି ସିଧାସଳଖ ନହେଲେ ମଧ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାରମ୍ବାର ଏପରି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ବିଜେଡି ଦଳର ଅନେକ ନେତା ନିନ୍ଦା କରିଛନ୍ତି ।

Leave a comment