କାଲି ମୋଦିଙ୍କ ଗସ୍ତ, ଆଜିଠୁ ସଭାସ୍ଥଳରେ ଧର୍ମେନ୍ଦ୍ର, ଜୁଏଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓଡ଼ିଶା ଗ୍ରସ୍ତକୁ ନେଇ ରାଜ୍ୟ ଭାଜପା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୋଦିଙ୍କ ଗସ୍ତ ସମୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ । ଏହି ଉପଲକ୍ଷେ ଖୋର୍ଦ୍ଧା ଗୋଶାଳା ପଡ଼ିଆଠାରେ ଏକ ସଭା ଅନୁଷ୍ଠିତ ହେବ । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା ଆଜି ସଭାସ୍ଥଳ ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କିପରି ହୋଇଛି ସେ ନେଇ ଉଚ୍ଚ ପଦସ୍ତ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ମୋଦିଙ୍କ ସଭାସ୍ଥଳକୁ ପାଣି ବୋତଲ କିମ୍ବା ପାଣି ପାଉଚ ନେବା ଉପରେ କଟକଣା ଲଗାଯାଇଛି । ଏଥିସହ ୪୫ ପ୍ଲାଟୁନ ଫୋର୍ସ ଓ ୪ଜଣ ଏସପି, ୩୦ ଡିଏସପି ଓ ୪ ଅତିରିକ୍ତ ଏସ୍ପି ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶିୀ ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ସୋମବାର ଅପରାହ୍ନ ପ୍ରାୟ ୧ଟା ୫ମିନିଟରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ୩ଘଣ୍ଟାର କାର୍ଯ୍ୟକ୍ରମ ପରେ ସେ ଅପରାହ୍ନ ୪ଟାରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।