ସଫଳତାର ବାପାଙ୍କ ସଂଖ୍ୟା ଅନେକ, କିନ୍ତୁ ବିଫଳତା ଅନାଥ: ନୀତିନ୍ ଗଡ଼କରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ହୋଇଥିବା ୫ଟି ରାଜ୍ୟର ନିର୍ବାଚନ ରେ ନିଜ ଅଧୀନରେ ଥିବା ୩ଟି ରାଜ୍ୟରେ ପରାଜୟର ସ୍ୱାଦ ଚାଖିବା ପରେ ବିଜେପିର ଅନ୍ତଃବିଦ୍ରୋହ ସାମ୍ନାକୁ ଆସିବାରେ ଲାଗିଲାଣି । କିଛି ବରିଷ୍ଠ ନେତା ଙ୍କୁ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନି ଚିନ୍ତା ଘାରିଲାଣି । ଏହାର କାରଣ ହେଲା ୨୦୧୪ ନିର୍ବାଚନ ରେ ବଡବଡ ଦାବା କରିଥିବା ମୋଦି ସରକାର କୌଣସି ଗୋଟିଏ ହେଲେ ଦାବା ପୂରଣ କରିବାରେ ସମର୍ଥ ହୋଇପାରିନାହିଁ । ତେଣୁ ଆଗାମୀ ନିର୍ବାଚନ ରେ ସେମାନେ କଣ କହି ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବେ ଏବେ ସେ ଚିନ୍ତା ଘାରିଛି ବିଜେପି ବରିଷ୍ଠ ନେତାଙ୍କୁ । ଏପରିକି କିଛି ନେତା ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡ଼କରୀ ମଧ୍ୟ ପରୋକ୍ଷରେ ମୋଦୀ-ଶାହଙ୍କ ନେତୃତ୍ୱ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ସଫଳତା ର ଶ୍ରେୟ ନେବାକୁ ସମସ୍ତେ ପ୍ରତିଦ୍ବନ୍ଦିତା କରୁଥିବାବେଳେ ବିଫଳତା ସ୍ୱୀକାର କରିବାକୁ କେହି ଆଗକୁ ଆସୁନାହାନ୍ତି । ସେ ମରାଠିରେ କହିଥିଲେ ‘ସଫଳତାର ବାପାଙ୍କ ସଂଖ୍ୟା ଅନେକ, କିନ୍ତୁ ବିଫଳତା ଅନାଥ’ ।
ସେହିପରି ଦଳ ବାହାରୁ ମଧ୍ୟ ମୋଦି ସରକାରଙ୍କୁ ଅନେକ ସମାଲୋଚନା କୁ ସାମ୍ନା କରିବାକୁ ପଡୁଛି । ସୂଚନା ମୁତାବକ, ପୂର୍ବତନ ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ ମୋଦିଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ରାମ ମନ୍ଦିର ନିର୍ମାଣ କରିଦେଇଥାନ୍ତେ ତେବେ ୫ଟି ରାଜ୍ୟରେ ନିର୍ବାଚନ ହାରି ନଥାନ୍ତେ । ଆନ୍ତରିକତାର ଅଭାବରୁ ରାମମନ୍ଦିର ହୋଇପାରିଲାନି କି ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ କରି ପାରିଲେ ନାହିଁ । ସେହିପରି କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି ଦେଶରେ ଯୁବକଯୁବତୀ ବେକାର ବୁଲୁଛନ୍ତି । ଦେଶରେ ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉ ନାହିଁ । ତେଣୁ ୫୨ହଜାର ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି, ଯେଉଁ ଦଳ ବେକାରୀଙ୍କୁ ନିଯୁକ୍ତି ଦେବ ଓ ଚାଷୀଙ୍କୁ ତାଙ୍କ ପରିଶ୍ରମ ର ଉଚିତ ମୂଲ୍ୟ ଦେବ ସେହି ଦଳ ଆଗାମୀ ଦିନରେ ସରକାର ଗଢ଼ିବ ।
ସୂଚନା ଅନୁଯାୟୀ, ଓଡିଶାରେ ଆୟୋଜିତ ଦୁଇ ଦିନିଆ ଅନ୍ତରାଷ୍ଟ୍ରିୟ ହିନ୍ଦୁ ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସି ଏଭଳି ମତ ରଖିଛନ୍ତି ତୋଗାଡିଆ ।