ବିବେକାନନ୍ଦ ପାଠକ ମଞ୍ଚର ଚତୁର୍ଦ୍ଦଶ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅଧିନସ୍ଥ ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସର ବାର୍ଷିକ ସ୍ଵନକ୍ଷତ୍ର ଉପଲକ୍ଷେ ଆୟୋଜିତ ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ସ୍ଥାନୀୟ ଜପିଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସ ଠାରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରାୟ ୬୦ଟି ବିଦ୍ୟାଳୟର ୩୫୦ ରୁ ଉର୍ଧ୍ୱ ପ୍ରତିଯୋଗୀ ବକ୍ତୃତା, ଓଡ଼ିଆ ଭାଷାଜ୍ଞାନ ଓ ଆଶୁକବିତା ଲିଖନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ବିଭାଗରେ ଛାତ୍ରଛାତ୍ରୀମାନେ ‘ଆମ ଗାଁ ଯଦି ସହର ହୋଇଯାଆନ୍ତା’ ଶୀର୍ଷକରେ ବକ୍ତୃତା ରଖିଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ବିଭାଗର ଛାତ୍ରଛାତ୍ରୀମାନେ ‘ମାତୃଭାଷା ନ ପଢିଲେ କ୍ଷତି କଣ’ ବିଷୟରେ ବିତର୍କ କରିଥିଲେ । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ବିଭାଗର ପିଲାମାନେ ‘ଇଣ୍ଟରନେଟ ଆମର ଶତ୍ରୁ କି ! ଶୀର୍ଷକରେ ବକ୍ତୃତା ଦେଇଥିଲେ ।
ବିଚାରକ ଭାବରେ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ଜେନା, ପ୍ରଧାନ ଶିକ୍ଷକ ବେଣୁଧର ସାହୁ, ଶିକ୍ଷାବିତ ଜ୍ଞାନେନ୍ଦ୍ର କୁମାର ଜେନା, ଏବିଇଓ ବୈଷ୍ଣବ ଚରଣ ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନେଶ୍ୱର ପରିଡ଼ା ଏବଂ ସୁଶୀଳ ଶୁଭଦୀପ ନାୟକ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କର ପ୍ରତିଭାକୁ ମୂଲ୍ୟାୟନ କରିଥିଲେ ।

ପାଠକ ମଞ୍ଚର ପ୍ରତିଷ୍ଠାତା ଆବାହକ ଅଧ୍ୟାପକ ରବୀନ୍ଦ୍ର କୁମାର ନାୟକ ପ୍ରତିଯୋଗିତାଗୁଡିକୁ ତଦାରଖ କରିଥିବା ବେଳେ ଅଭିମନ୍ୟୁ ସାହୁ, ସୁବାସ ଚନ୍ଦ୍ର ପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ସୁଶୀଳ ଶୁଭଦୀପ ନାୟକ, ଭାଗୀରଥି ସେନାପତି, ସୁଶାନ୍ତ କୁମାର ପଣ୍ଡା, ସାରଦା ପ୍ରସନ୍ନ ବାରିକ, ମନୋଜ କୁମାର ସେନାପତି, ବରଦା ପ୍ରସନ୍ନ ବାରିକ, ଶରତ ଚନ୍ଦ୍ର ପାତ୍ର ଆଦି କାର୍ଯ୍ୟକ୍ରମକୁ ସଫଳ ରୂପେ ପରିଚାଳନା କରିଥିଲେ ।

ଏହି ପ୍ରତିଭା ଅନ୍ୱେଷଣର ଦ୍ଵିତୀୟ ପର୍ଯ୍ୟାୟରେ ଶ୍ରେଷ୍ଠ ପାଠକ ଚୟନ ପ୍ରତିଯୋଗିତାର ସାକ୍ଷାତକାର, ଗୀତ, ହାସ୍ୟ ବ୍ୟଙ୍ଗ ଏବଂ ପ୍ରଶ୍ନ ମଞ୍ଚ
ଆଦି କାର୍ଯ୍ୟକ୍ରମଗୁଡିକ ଡିସେମ୍ବର ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ଵନକ୍ଷତ୍ର ଦିବସରେ ଆୟୋଜିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।

Leave a comment

You cannot copy content of this page