ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଦୁର୍ବୃତ୍ତ ଲଗାଇଲେ ନିଆଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଶାଖା କାର୍ଯ୍ୟାଳୟରେ ବୁଧବାର ଅପରାହ୍ନରେ ନିଆଁ ଲାଗିଯାଇଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ସଞ୍ଜିବ ଅରୋରା ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କେତେଜଣ ଦୁର୍ବୃତ୍ତ ଅଫିସ୍ ରେ ନିଆଁ ଲଗାଇ ଦେଇଥିବା କାର୍ଯ୍ୟାଳୟର କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାର ଫର୍ମ ପୂରଣର ଆଜି ଶେଷ ତାରିଖ ଥିବାରୁ ସମସ୍ତ କର୍ମଚାରୀ ଅଫିସ୍ ଭିତରେ କାର୍ଯ୍ୟ କରୁଥିଲେ । ଏହି ସମୟରେ କେତେଜଣ ଯୁବକ ଅଫିସ୍ ଭିତରେ ପଶି କର୍ମଚାରୀମାନଙ୍କୁ ଧମକାଇବା ସହ ଅଫିସ୍ରୁ ବାହାରି ଯିବାକୁ କହିଥିଲେ । ଭୟରେ କର୍ମଚାରୀମାନେ ଅଫିସ୍ ବାହାରକୁ ଚାଲିଯାଇଥିଲେ । ଏହାପରେ ସେହି ଯୁବକମାନେ ଅଫିସ୍ ଭିତରେ ନିଆଁ ଲଗାଇ ଦେଇଥିଲେ । ଅଫିସ୍ରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଥିବା ବେଳେ ୨-୩ଟି ବାଇକ୍ ପୋଡି ଯାଇଥିବା ଜଣାପଡିଛି । କେଉଁ କାରଣରୁ ଯୁବକମାନେ ଅଫିସ୍ ମଧ୍ୟରେ ନିଆଁ ଲଗାଇଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ।