ଦାଦନ ଦୁଃଖ, ପାଉଣା ବଦଳରେ ଇଟାଭାଟି ମାଲିକଙ୍କ ଏସିଡ୍ ମାଡ଼ ଓ ଅନ୍ୟ ଜଣଙ୍କ କାଟିଲେ ଆଙ୍ଗୁଠି

ଓଡିଶା ଫାଷ୍ଟ(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ବିଜୟନଗରମ୍କୁ ଇଟାଭାଟିରେ କାମ କରିବାକୁ ଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ବୁରତା ଗ୍ରାମର ୧୧ ଦାଦନ ଶ୍ରମିକ ନିର୍ଯାତନାର ଶିକାର ହୋଇଛନ୍ତି । ପାଉଣା ବଦଳରେ ଇଟାଭାଟି ମାଲିକଙ୍କ ଏସିଡ୍ ମାଡ଼ କରିଥିବା ବେଳେ ଅନ୍ୟ ଜଣେ ଶ୍ରମିକ କିରଣ ବାରିକଙ୍କ ୩ଟି ଆଙ୍ଗୁଠି କାଟି ଦିଆଯାଇଛି । ଏସିଡ୍ ମାଡ଼ରେ ଜୟଦେବ ଚନ୍ଦନିଆଁ(୩୫) ଗୁରୁତର ହୋଇଥିବାବେଳେ ଜୀବନ ବଞ୍ଚାଇ ସେଠାରୁ ଖସି ଆସିଛନ୍ତି । କିନ୍ତୁ ସେଠାରେ କିରଣ ବାରିକ, ତାଙ୍କ ସ୍ତ୍ରୀଙ୍କ ସମେତ ଅନ୍ୟ ୭ଜଣ ବନ୍ଧା ପଡ଼ିଛନ୍ତି ।
ଜୟଦେବ ମଙ୍ଗଳବାର ହେମଗିର ଡାକ୍ତରଖାନା ଆସିଥିବାବେଳେ ଏହି ନିର୍ଯାତନା ଘଟଣା ଜଣାପଡ଼ିଛି । ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ସହକାରୀ ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା ଓ ହେମଗିର ଥାନା ପୋଲିସ ଏହି ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଶ୍ରମିକଙ୍କ ସୂଚନା ମୁତାବକ, ବରଗଡ଼ ଅଞ୍ଚଳର ସୁମିତ୍ରା ଡୁଲୁଙ୍ଗିଆ ଓ ତାଙ୍କ ସ୍ବାମୀ ବିଳାସ ଡୁଲୁଙ୍ଗିଆଙ୍କ ସହ ଗତ ଦଶହରା ପରେ ଜୟଦେବ ଓ ତାଙ୍କ ସ୍ତ୍ରୀ ଭୂମି (୩୦) ଇଟା ଗଢ଼ିବା ପାଇଁ ବିଜୟନଗରମ୍ ଯାଇଥିଲେ । ଏହା ସହ ବୁରତା ଗାଁର କିରଣ ବାରିକଙ୍କ ସହ ମୋଟ ୧୧ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କିଛିଦିନ କାମ କରିବା ପରେ ଠିକାଦାର ଓ ମାଲିକ ଶ୍ରମିକମାନଙ୍କୁ ପାଉଣା ବଦଳରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏପରିକି ଯୁକ୍ତିତର୍କ ହେବାରୁ ସେମାନେ କିରଣ ବାରିକଙ୍କ ୩ଟି ଆଙ୍ଗୁଠି କାଟି ଦେଇଥିଲେ ।ତେବେ ଜୟଦେବ ବିଜୟନଗରମ୍ ଇଟାଭାଟିରେ ପହଞ୍ଚିବା ପରେ ତାଙ୍କ ଉପରେ ମଧ୍ୟ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । ଏପରି କି ତାଙ୍କ ଉପରକୁ ଏସିଡ୍ ମାଡ଼ କରାଯାଇଥିଲା । ସେ କୌଣସିମତେ ସେଠାରୁ ଖସି ଆସି ଟ୍ରେନ୍ ଯୋଗେ ଗତ ୧୬ ତାରିଖରେ ହେମଗିର ବ୍ଲକ କନିକାରେ ପହଞ୍ଚିଥିଲେ ।