ସମାଧାନ ହେବ ମହାନଦୀ ପାଣି ସମସ୍ୟା, ନିରଞ୍ଜନ ଦେଲେ ସବୁଜ ସଙ୍କେତ

ଓଡିଶା ଫାଷ୍ଟ(ବ୍ୟୁରୋ): ମହାନଦୀ ଉପରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ବ୍ରିଜ ଯୋଗୁଁ ଓଡ଼ିଶାବାସୀ ବହୁ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଛତିଶଗଡ଼ରେ ଭାଜପା ସରକାର ବେଳେ ଏହି ବ୍ରିଜ୍ ନିର୍ମାଣ ଆରମ୍ଭ ହୋଇଥିଲା । ଏହାର ସମାଧାନ ତଥା ମହାନଦୀ ପାଣି ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ । କିନ୍ତୁ ଏ ନେଇ କୌଣସି ସୁଫଳ ମିଳି ନଥିବା ବେଳେ ଇତିମଧ୍ୟରେ ଛତିଶଗଡ଼ର ରାଜ୍ୟ ସରକାର ବଦଳି ଯାଇଛନ୍ତି । ଏବେ ସେଠାରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ରମଣଙ୍କୁ ହଟାଇ ଭୁପେଶ ବାଘେଲ ରାଜ୍ୟର ଶାସନ ଭାର ମୁଣ୍ଡାଇଛନ୍ତି ।
କଂଗ୍ରେସ ସରକାରକୁ ଆସିଲେ କୃଷି ଋଣ ଛାଡ କରିବା ସହ ମହାନଦୀ ସମସ୍ୟାର ସମାଧାନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । ତେବେ ଭୁପେଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଯାଇ ଆଜି ଓଡ଼ିଶା ଫେରିବା ପରେ ମହାନଦୀ ସମସ୍ୟା ସମାଧାନ ନେଇ ସେ ସବୁଜ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ମହାନଦୀ ସମସ୍ୟା ସମ୍ପର୍କରେ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ହୋଇଛି । ଭୁଲ୍ ବୁଝାବଣାରୁ ଏଭଳି ପରିସ୍ଥିତି ଉପୁଜି ଥିବା ବେଳେ କଂଗ୍ରେସ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବ । ନିରଞ୍ଜନଙ୍କ ଏଭଳି ପ୍ରତିକ୍ରିୟା ପରେ ମହାନଦୀ ପାଣି ପାଇଁ ଓଡ଼ିଶାବାସୀଙ୍କ ଆଶା ଦୃଢ଼ ହୋଇଛି ।