ପୋଲିସକୁ ଉଠାଇନେଲା ପୋଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକଡାଉନ ନିୟମ ଭାଙ୍ଗିବାରୁ ପୋଲିସକୁ ଉଠାଇନେଲା ପୋଲିସ । ସର୍ବସାଧାରଣ ସ୍ଥାନରେ ସଂଘବଦ୍ଧ ଭାବେ ମଦ୍ୟପାନ କରୁଥିବା ବେଳେ ପୁଲିସ ଜଣେ କନେଷ୍ଟେବଲ ସହ ୮ରୁ ଅଧିକ ଲୋକଙ୍କୁ ଉଠାଇନେଇଛି । ପୁଲିସ ହେପାଜରେ ଥିବା କନଷ୍ଟେବଲ ଜଣକ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘର ସମ୍ପାଦକ ପ୍ରସନ୍ନ ବେହେରା ବୋଲି ଜଣାପଡିଛି । ଏଥିସହିତ ପୁଲିସ ଏକ ମର୍ସିଟିଜ ଗାଡିକୁ ମଧ୍ୟ ନେଇଯାଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ସାଢେ ୯ଟା ବେଳେ ସମ୍ବେଦନଶୀଳ ଅଂଚଳ ଭାବେ ପରିଚିତ ଜୟଦେବ ଭବନ ସମ୍ମୁଖରେ କନଷ୍ଟେବଲ ପ୍ରସନ୍ନ ଓ ତା’ର ୭ରୁ ଅଧିକ ସହଯୋଗୀ ବସି ମଦ୍ୟପାନ କରୁଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଉତ୍ପାତ କରିଥିଲେ । ବେଶ କିଛି ସମୟ ପର୍ଯ୍ୟନ୍ତ ସେଠାରେ ଉତ୍ପାତ କରିବା ପରେ କୌଣସି ସୁତ୍ରରୁ ଖବରପାଇ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତୀ ଟିମ ସହ ସେଠାରେ ଚଢାଉ କରିଥିଲେ । ଚଢାଉ ବେଳେ ପୁଲିସ ପାଖରୁ କୌଣସି ପ୍ରକାରରେ ଖସିଯିବାକୁ ଚେଷ୍ଠା କରିଥିଲେ । ହେଲେ ମିଡ଼ିଆ ପହଁଚିଯିବାରୁ ପୁଲିସ ସମସ୍ତଙ୍କୁ ଥାନାକୁ ନେଇଯାଇଥିଲା ।
ଏଥିସହିତ ସେମାନେ ବ୍ୟବହାର କରୁଥିବା ଏକ ମର୍ସିଟିଜ ଗାଡିକୁ ମଧ୍ୟ ପୁଲିସ ହେପାଜତକୁ ନେଇଛି । ସର୍ବସାଧାରଣ ସ୍ଥାନରେ ମଦ୍ୟ ପାନ କରିବା ଏକ ବଡ଼ ଧର୍ତବ୍ୟ ଅପରାଧ ନଥିବାରୁ ସେମାନଙ୍କ ଠାରୁ ପୁଲିସ ଜୋରିମାନା ଆଦାୟ କରିଛି । ହେଲେ ଲକଡାଉନ ବେଳେ ସର୍ବସାଧାରଣ ସ୍ଥାନରେ ସଂଘବଦ୍ଧ ଭାବେ ଜଣେ ପୁଲିସ କନଷ୍ଟେବଲ ମଦ୍ୟପାନ କରିବା କେତେ ଆଇନ ସମ୍ମତ? ସଂପୃକ୍ତ କନଷ୍ଟେବଲ ଜଣକ ଡ୍ୟୁଟିରେ ଥିଲେ ନା ଛୁଟିରେ? ଦୀର୍ଘ ଏକମାସରୁ ଅଧିକ ହେବା ମଦ ଦୋକାନ ବନ୍ଦ ଥିବା ବେଳେ କନଷ୍ଟେବଲ ମଦ ଆଣିଲେ କେଉଁଠୁ? ଚୋରା ମଦ ବେପାରୀଙ୍କ ସହ ତାଙ୍କର ଭିତିରି ସମ୍ପର୍କ ରହିଛି କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ପୁଲିସ ତାଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା ।